ଡ୍ୟାନ୍ସ ବାର୍‌ରେ ଗଣ୍ଡଗୋଳ, ମାଲିକ ଗିରଫ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନସ ବାର୍‌ରେ ଗଣ୍ଡଗୋଳ ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ବାର୍‌ର ମାଲିକ ଅଜିତ୍‌ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୋଧରେ ପୁଲିସ ଦଫା ୩୪୧, ୩୪୨, ୩୨୫, ୨୯୪, ୩୫୪, ୩୭୯, ୩୦୭, ୫୦୯, ୫୦୬ ରୁଜୁ କରିଛି। ତେବେ ବାର୍‌ର କର୍ମଚାରୀ ଓ ଅଜିତ୍‌ଙ୍କ ପରିବାରଲୋକେ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ବିରୋଧ କରିଛନ୍ତି। ଏହି ଗଣ୍ଡଗୋଳରେ ଅଜିତଙ୍କ କୌଣସି ଭୂମିକା ନଥିବା ବେଳେ ପୁଲିସ ତାଙ୍କୁ କାହିଁକି ଗିରଫ କରିଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତେଣୁ ବାର୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ବିଷୟରେ ଜାଣିବା ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି। ଗତକାଲି ରାତିରେ ଏହି ବାର୍‌ରେ ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ପ୍ରଚୁର ମଦ ପିଇ ବଳମ୍ବିତ ରାତି ପର୍ଯ୍ୟନ୍ତ ମାତାଲ ହୋଇ ନୃତ୍ୟ କରୁଥିଲେ। ସେହି ସମୟରେ ଯୁବତୀଜଣଙ୍କ ଅନ୍ୟ ଜଣେ ପୁରୁଷ ବନ୍ଧୁ ସେଠାରେ ପହଞ୍ଚି ଯୁବତୀଙ୍କ ସହ ନୃତ୍ୟ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ଓ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ଗଣ୍ଡଗୋଳରେ ଜଣେ ଯୁବକଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା। ତେବେ ଏହାକୁ ନେଇ ବାର୍‌ ମଧ୍ୟରେ ଉତ୍ତେଜନା ଦେଖାଦେବାରୁ ବାର୍‌ର ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ବୁଝାବୁଝି କରି ବାହାରକୁ ପଠାଇ ଦେଇଥିଲେ। ଏ ନେଇ ଯୁବତୀଜଣଙ୍କ ଆଜି ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ କିଛି ନ ବୁଝି ବାର୍‌ର ମାଲିକ ଅଜିତ୍‌ଙ୍କ ନାମରେ ଗୁଡ଼ାଏ ସଂଗିନ ଦଫା ଲଗାଇ ତାଙ୍କୁ ଗିରଫ କରିଛି ବୋଲି ତାଙ୍କ ପରିବାରଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର