ଜାଗମରାରେ ଗୋଷ୍ଠୀ ସଂଘର୍ଷ, ଢେଲା ମାଡ଼ରେ ୪ ଆହତ

୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଖଣ୍ଡଗିରି: ଆଜି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ ସ୍ଥାନୀୟ ଜାଗମରାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଢ଼େଲାପଥର ମାଡ଼ରେ ଗୋଟିଏ ଗୋଷ୍ଠୀର ୪ ଜଣ ଆହତ ହୋଇ ମେଡିକାଲରେ ଭର୍ତି ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ୨ ପ୍ଲାଟୁନ୍‌ ପୁଲିସ ବଳ ସହ ପହଂଚିଛି। ଗାଁ ଭିତରେ ଉଭୟ ପକ୍ଷଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିବାରୁ ପୁଲିସ ଗାଁ ଭିତରେ ପଇଁତରା ମାରୁଛି। ସୂଚନାନୁସାରେ ଗତ କିଛି ଦିନ ହେଲା ଗାଁ ଭିତରେ ଚାଲିଥିବା ଡ୍ରେନ୍‌ କାମକୁ ନେଇ ଦୁଇ ଗୋଷ୍ଠୀ ଭିତରେ ବିବାଦ ଆରମ୍ଭ ହୋଇଛି। ଗୋଟିଏ ପକ୍ଷ ଡ୍ରେନ୍‌ କାମକୁ ବିରୋଧ କରୁଥିବା ଜଣାପଡ଼ିଛି। ଗତ ଦୁଇ ଦିନ ତଳେ କାମ ବନ୍ଦ କରିବାକୁ ଗୋଟିଏ ପକ୍ଷ ଚେତାବନୀ ଦେଇଥିଲା। କିନ୍ତୁ ଆଜି ପୁଣି କାମ ଆରମ୍ଭ ହେବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତେବେ ଦିନବେଳାରୁ ଛକାପଞ୍ଝା ହୋଇ ରହିଥିବା ଦୁଇ ଗୋଷ୍ଠୀ ରାତିରେ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗୋଟିଏ ପକ୍ଷ ହଠାତ୍‌ ଢ଼େଲା ମାଡ଼ କରିବାରୁ ତଳସାହିର ପ୍ରାୟ ୪ ଜଣ ଯୁବକ ଆହତ ହୋଇଛନ୍ତି। ଗଣ୍ଡଗୋଳ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ବି ଢ଼େଲାମାଡ଼ ଯୋଗୁଁ ଗାଁ ଭିତରକୁ ପଶିବା ସମ୍ଭବ ହୋଇନଥିଲା। ତେବେ କିଛି ସମୟ ପରେ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜାଗମରାରେ ପହଂଚିବା ପରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ପୁଲିସ ବଳ ଗାଁ ଭିତରେ ପଶିବା ପରେ ଢ଼େଲାମାଡ଼ କରୁଥିବା ଲୋକେ ଲୁଚି ଯାଇଥିଲେ।

ସମ୍ବନ୍ଧିତ ଖବର