ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଦୋକାନ ଭଙ୍ଗାରୁଜା

ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଧଉଳି: ନୂଆବର୍ଷ ପୂର୍ବଦିନ ରାତିରୁ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଓ ନୂଆଗାଁର ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଘଟଣା ଆଜି ଉଗ୍ରରୂପ ନେଇଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଶିଶୁପାଳଗଡ଼ ଅଞ୍ଚଳର ୫ ଜଣ ଯୁବକ ନୂଆଗାଁର ଜିତେନ୍ଦ୍ର ସାହୁଙ୍କୁ ମାଡ଼ ମାରିଥିବା ନେଇ ଏହି ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି। ହେଲେ ଏତିକିରେ ଶିଶୁପାଳଗଡ଼ ଅଞ୍ଚଳର ଏହି ଯୁବକଙ୍କ ରାଗ ଶାନ୍ତ ପଡ଼ି ନଥିଲା। ଆଜି ସନ୍ଧ୍ୟାରେ ଏହି ଗୋଷ୍ଠୀର ୧୦/୧୨ ଜଣ ଯୁବକ ପୁଣି ନୂଆଗାଁ ହାଉସିଂ ବୋର୍ଡ ଛକରେ ଗଣ୍ଡଗୋଳ କରିଥିଲେ। ସେମାନେ ସଂଘବଦ୍ଧ ହୋଇ ହାତରେ ଖଣ୍ଡା, ଲୁହାରଡ୍‌ ଓ ଲୁହା ପାଇପ୍‌ ଧରି ବଜାରରେ ଥିବା ସୁକାନ୍ତ ମହାରଣାଙ୍କ ସାନିଟାରି ଦୋକାନ, ଅକ୍ଷୟ ଗୋଚ୍ଛାୟତଙ୍କ ଫାଷ୍ଟଫୁଡ୍‌ ଦୋକାନ ଓ ଉସ୍ତା ହାର୍ଡଓ୍ଵାର ଷ୍ଟୋର ଭିତରେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭଙ୍ଗାରୁଜା କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନୂଆଗାଁ ଗୋଷ୍ଠୀ ପକ୍ଷରୁ ଧଉଳି ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ ପକ୍ଷରୁ ଅଭିଯୁକ୍ତ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ସୂଚନା ମିଳିଛି। ଧଉଳି ଥାନା ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ସନ୍ଧ୍ୟାରେ ନୂଆଗାଁ ଗୋଷ୍ଠୀ ଅଞ୍ଚଳର ଶତାଧିକ ଉତ୍ତ୍ୟକ୍ତ ଲୋକ ନୂଆଗାଁ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଲୋକ ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ବସିରହିବା ଦ୍ୱାରା ଉଭୟ ପାର୍ଶ୍ୱରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନୂଆଗାଁ ଅଞ୍ଚଳରେ ଧଉଳି ଥାନା ପୁଲିସ୍‌ ଟିମ୍‌ ସମେତ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାସ୍ତା ଅବରୋଧକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପକ୍ଷରେ ଗତ ୪ ତାରିଖ ସନ୍ଧ୍ୟାରେ ନୂଆଗାଁ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଶିଶୁପାଳଗଡ଼ର ଜଣେ ଯୁବକ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଗତ ୩୧ ତାରିଖରେ ଶିଶୁପାଳଗଡ଼ ଓ ଇନ୍ଦିରା କଲୋନିର କିଛି ଯୁବକ ନୂଆଗାଁରେ ଭୋଜି କରୁଥିଲେ। ଦୋକାନ ଆଗରେ ଗାଡ଼ି ପାର୍କିଂକୁ ନେଇ ସଂପୃକ୍ତ ଯୁବକମାନେ ସାନିଟାରି ଦୋକାନୀ ସୁକାନ୍ତଙ୍କ ଭାଇ ଉମାକାନ୍ତଙ୍କୁ ମାଡ଼ ମାରିଥିଲେ। ଖବର ପାଇ ସେଠାରେ ତାଙ୍କ ସମର୍ଥିତ ଯୁବକମାନେ ପହଞ୍ଚିଯିବାରୁ ସେମାନେ ଗୋଟିଏ ବାଇକ୍‌ ଛାଡ଼ି ଖସି ପଳାଥିଲେ। ନୂଆଗାଁର ଯୁବକମାନେ ଏହି ବାଇକ୍‌ଟିକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏଥିସହିତ ସେମାନଙ୍କ ମଧ୍ୟରୁ ଦୁଇଜଣ ଯୁବକଙ୍କୁ ଧରି ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ଆଜି ରାତିରେ ବିସ୍ଫୋରକ ରୂପ ନେଇଥିଲା।

ସମ୍ବନ୍ଧିତ ଖବର