ରାଜଧାନୀ ଉପକଣ୍ଠରେ ଛାତ୍ରଙ୍କୁ ଗୁଳି

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ସହିଦନଗର ଥାନା ଅଧୀନ ବାଙ୍କୁଆଳ-ଚାରିଛକ ନିକଟରେ ଜଣେ କଲେଜ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ଗୁଳି କରିଛନ୍ତି। ଗୁଳି ମାଡ଼ର ଶିକାର ହୋଇଥିବା ଛାତ୍ର ଜଣକ ହେଲେ ସୁଶାନ୍ତ ଭୋଇ(୧୯)। ଘର ଶିଶୁପାଳଗଡ଼ ଭୋଇସାହିରେ। ସୁଶାନ୍ତ ବାଳକାଟି କଲେଜର ଯୁକ୍ତ ତିନି ଛାତ୍ର। ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଟ୍ରିନିଟି ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ଜଙ୍ଘ, ପିଠି ଓ ଛାତିରେ ଗୁଳି ବାଜିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ସୁଶାନ୍ତଙ୍କ ଏକ ବାଇକ୍‌ ମଧ୍ୟ ଜବତ କରିଛି। ଦିନ ପ୍ରାୟ ୨ଟା ବେଳେ ଘଟିଥିବା ଏହି ଘଟଣା ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଏଭଳି କାଣ୍ଡ ଘଟିଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ନାହିଁ।

ସୁଶାନ୍ତଙ୍କ ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧ଟା ବେଳେ ସୁଶାନ୍ତ ଘରେ ତାଙ୍କ ମା’ଙ୍କୁ ରୋଷେଇ କରିବାକୁ ମାଂସ ଦେଇଥିଲେ। ଏହି ସମୟରେ ତାଙ୍କ ମୋବାଇଲ୍‌କୁ ବାରମ୍ବାର କଲ୍‌ ଆସିଥିଲା। ସେ ମାଛ ଧରିବାକୁ ଯାଉଛନ୍ତି ବୋଲି ଘରେ କହି ବାଇକ୍‌ ଧରି ପଳାଇଥିଲେ। ଠିକ ଚାରି ଛକ ନିକଟରେ ହୋଇଛନ୍ତି, କାର୍‌ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ସୁଶାନ୍ତଙ୍କ ବାଇକ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଉକ୍ତ ଯୁବକମାନଙ୍କ ସହ ସୁଶାନ୍ତଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ପରେ ସେହି ଯୁବକମାନେ ସୁଶାନ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟରେ ଥିବା ଏକ ଓମଫେଡ୍‌ ନିକଟରେ ପହଞ୍ଚିଥିଲେ ସୁଶାନ୍ତ। ଶିଶୁପାଳଗଡ଼ର ଜଣେ ଯୁବକ ସୁଶାନ୍ତଙ୍କୁ ବାଇକ୍‌ରେ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ୟୁନିଟ-୯ରେ ଥିବା ଟ୍ରିନିଟି ହସ୍ପିଟାଲରେ ଭର୍ତି କରାଯାଇଛି। ହସ୍ପିଟାଲସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଗୋଡ଼କୁ ୫ ରାଉଣ୍ଡ ଗୁଳି କରାଯାଇଛି। ପିଠି ଓ ପେଟରେ ଗୁପ୍ତି ଭର୍ତି କରାଯାଇଛି। ସୁଶାନ୍ତଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

କେଉଁ କାରଣରୁ ସୁଶାନ୍ତଙ୍କୁ ଦୁର୍ବୃତ୍ତମାନେ ଗୁଳି କଲେ, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ସୁଶାନ୍ତଙ୍କୁ କିଏ ଫୋନ୍‌ କରି ମାଛ ଧରିବାକୁ ଡକାଇଥିଲା, ଏ ନେଇ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି। ସୁଶାନ୍ତ ଶେଷଥର କାହା ସହିତ କଥା ହୋଇଥିଲେ, ତାର ତଥ୍ୟ ସଂଗ୍ରହ ଆରମ୍ଭ କରିଛି ପୁଲିସ। ସେହିପରି ୬ ମାସ ତଳେ ସୁଶାନ୍ତଙ୍କ ବାଳକାଟି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଣ୍ଡଗୋଳ ଘଟିଥିଲା। ପରେ ଶିଶୁପାଳଗଡ଼ ଗାଁ ଲୋକ କଲେଜରେ ପହଞ୍ଚି ବିବାଦର ଆପୋସ ସମାଧାନ କରିଥିଲେ। ଏହା ମଧ୍ୟ କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏହାଛଡ଼ା କିଛି ଦିନ ତଳେ ଶିଶୁପାଳଗଡ଼ ଓ ନୂଆଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି କାରଣରୁ କେହି ସୁଶାନ୍ତଙ୍କୁ ଆକ୍ରମଣ କରିଛି କିମ୍ବା ନାହିଁ ତାର ମଧ୍ୟ ଭିତିରି ତଦନ୍ତ ଚାଲିଛି। ଆକ୍ରମଣ ପଛରେ ପ୍ରେମ ବ୍ୟପାର ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋମଗାର୍ଡ ଭାବେ କାମ କରୁଥିବା ସୁଶାନ୍ତଙ୍କ ବାପା ପର୍ଶୁରାମ ମଧ୍ୟ ପୁଅ ଉପରକୁ ହୋଇଥିବା ଆକ୍ରମଣ ସମ୍ପର୍କରେ କୌଣସି ସୂଚନା ଦେଇ ପାରୁନାହାନ୍ତି। ସୁଶାନ୍ତ ଚେତାଶୂନ୍ୟ ଥିବାରୁ ସେ ମଧ୍ୟ କିଛି କହି ପାରୁନାହାନ୍ତି। ତେଣୁ ପୁଲିସ ତଦନ୍ତ ଆଗେଇ ପାରିନାହିଁ।

ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଯାହା ଜଣାପଡ଼ୁଛି ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଛି। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଆକ୍ରମଣକାରୀ କିଏ ଜଣାପଡ଼ିବ ବୋଲି ପୁଲିସ କମିସନର କହିଛନ୍ତି। ମଞ୍ଚେଶ୍ୱର, ନୂଆପଲ୍ଲୀ ଅଧୀନରେ ଘଟିଥିବା ହତ୍ୟାକାଣ୍ଡରେ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରି ନଥିବା ବେଳେ ବାଙ୍କୁଆଳରେ ଘଟିଥିବା ଏହି ଗୁଳିକାଣ୍ଡ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି।

ସମ୍ବନ୍ଧିତ ଖବର