ସୁବର୍ଣ୍ଣପୁର ଜିଲ୍ଲାରେ ବସତି ବଢୁଛି, ଜଙ୍ଗଲ ସମ୍ପଦ ହ୍ରାସ:ମାଫିଆ ଏବଂ ଇଟାଭାଟି ମାଲିକଙ୍କ ହାତରେ ଜଙ୍ଗଲ ସମ୍ପଦ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଜନବସତି ବଢିବା ସାଙ୍ଗକୁ ଜଙ୍ଗଲ କ୍ଷୟ ଘଟୁଛି। ବିଗତ ୧୦ବର୍ଷ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଜଙ୍ଗଲ କ୍ଷୟ ସର୍ବାଧିକ ବୃଦ୍ଧି ପାଇଥିବା ଜଣାଯାଇଛି । ପୂର୍ବରୁ ଜଙ୍ଗଲ ମାଫିଆଙ୍କ ଦ୍ୱାରା ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟ ହେଉଥିବାବେଳେ ଏବେ ଉଭୟ ମାଫିଆ ଏବଂ ଜନସାଧାରଣଙ୍କ ଦ୍ୱାରା ବିପୁଳ ପରିମାଣରେ ଜଙ୍ଗଲ କ୍ଷୟ ଯୋଗୁଁ ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି । ସୁବର୍ଣ୍ଣପୁର ଜିଲ୍ଲାର ଜନସଂଖ୍ୟା ଦୃଷ୍ଟିକୁ ଦେଖିଲେ ୩୩ ଭାଗ ଜଙ୍ଗଲର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ଜିଲ୍ଲାରେ ଅଛି ମାତ୍ର ୧୮ଭାଗ ଜଙ୍ଗଲ। ଏହାକୁ ଦୃଷ୍ଟିରେ ଦେଖିଲେ ଜନସାଧାରଣଙ୍କ ଆବଶ୍ୟକତାରୁ ୧୫ ଭାଗ ଜଙ୍ଗଲ କମ୍‌ ଅଛି ।
ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ସୀମାନ୍ତକୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟନ୍ତ ବୀରମହାରାଜପୁର ଅଂଳର ସୀମାନ୍ତକୁ ଲାଗି ରେଢାଖୋଲ, ତରଭା ବ୍ଲକ ସୀମାନ୍ତକୁ ଲାଗି ବଲାଙ୍ଗୀର ଜିଲ୍ଲା, ଡୁଙ୍ଗୁରିପାଲି ବ୍ଲକର ସୀମାନ୍ତକୁ ଲାଗି ବରଗଡ ଜିଲ୍ଲା ପର୍ଯ୍ୟନ୍ତ ଭରପୁର ଜଙ୍ଗଲ ରହିଥିଲା। ଏହି ଜଙ୍ଗଲରେ ଶିଶୁ, ଶାଗୁଆନ, ମୁଣ୍ଡି, ଗାଢଖଇରତଥା ଅନେକ ଔଷଧୀୟ ବୃକ୍ଷରାଜି ପରିପୂର୍ଣ୍ଣ ଥିଲା। ଯାହା ବିଗତ କିଛି ବର୍ଷ ମଧ୍ୟରେ ହ୍ରାସ ପାଇଛି । ଏପଟେ ସହରଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ନୂତନ ବସତି ସ୍ଥାପନ ଜଙ୍ଗଲ କ୍ଷୟର ମୁଖ୍ୟ କାରଣ ପାଲଟିଛି । ନୂତନ ଘର ନିର୍ମାଣ ନାମରେ ଲୋକେ ମୂଲ୍ୟବାନ ଗଛକୁ କାଟି ପକାଉ ଥିବାବେଳେ ମାଫିଆମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ହାତକରି ମୂଲ୍ୟବାନ ବୃକ୍ଷଗୁଡିକୁ କାଟି ଚୋରା ଚାଲାଣ କରୁଛନ୍ତି। କେବଳ ସେତିକି ନୁହେଁ ଇଟାଭାଟି ମାଲିକ ମାନେ ଜଙ୍ଗଲରୁ ବହୁ ପୁରୁଣା ଗଛ କାଟି ଇଟାଭାଟି ପୋଡ଼ୁ ଥିବାବେଳେ ଜଙ୍ଗଲ ବିଭାଗର ପକ୍ଷେକ୍ଷପ କିନ୍ତୁ ଶୂନ୍‌। ବେସରକାରୀ, ସରକାରୀ ଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ ପାଇଁ ଜଙ୍ଗଲରୁ ବେଧଡକ ଗଛ କଟାଯାଉଛି।

ଯେଉଁଠାରେ ପୁରୁଣା ଜଙ୍ଗଲ ଥିଲା ଆଜି ସେଠାରେ ନୂତନ ବସତି ଗଢି ଉଠିଛି। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇଁ ଏପରି ଘଟୁଥିବା ଜଣାଯାଇଛି। କେବଳ ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଇନାହିଁ ଜଙ୍ଗଲ ସମ୍ପଦ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲ ମଧ୍ୟରେ ଥିବା ମୁରୁମ ଏବଂ ପଥର ଖାଦାନ ଉପରେ ଏବେ ଠିକାଦାର ଏବଂ କ୍ରସର ମାଲିକଙ୍କ ନଜର ପଡ଼ିଛି। ବେଆଇନ ଭାବରେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମୁରୁମ ଖାଦାନ ମାନଙ୍କରୁ ଏମାନେ ମୁରୁମ ଉତ୍ତୋଳନ କରୁଛନ୍ତି ଏବଂ ସେହି ମୁରୁମ ଗୁଡିକ ନିକଟସ୍ଥ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିଲେ ମଧ୍ୟ ବିଭାଗ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଏପଟେ କିଛି କ୍ରସର ମାଲିକ ସଂରକ୍ଷିତ ଜଙ୍ଗଲରୁ ପଥର ଚୋରି କରି ନେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ଠିକାଦାର କିମ୍ବା କ୍ରସର ମାଲିକଙ୍କ ବିରୋଧରେ ଜଙ୍ଗଲ ବିଭାଗ ଠୋସ ପଦକ୍ଷେପ ନେଇ ନଥିବାରୁ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।

ଜିଲ୍ଲାରେ ଗ୍ରାମାଂଚଳଠାରୁ ସହରାଂଚଳ ପର୍ଯ୍ୟନ୍ତ ସବୁଆଡେ ଇଟାଭାଟି ପୋଡ଼ା ଚାଲିଛି । ଇଟାଭାଟି ମାଲିକମାନେ ଅନେକ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ଇଟାଭାଟି ପୋଡୁଛନ୍ତି। ତେବେ ବେଆଇନ ଭାବରେ ଏମାନେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ବନ ବିଭାଗ ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଜିଲ୍ଲାରେ ଜଙ୍ଗଲ ସମ୍ପଦ ଏକ ପ୍ରକାର କାଠ ମାଫିଆ, ଠିକାଦାର, ଇଟାଭାଟି ମାଲିକଙ୍କ ହାତରେ ଥିବା ଜଣାପଡିଛି । ଏଭଳି ବେଆଇନ ଭାବରେ ବର୍ଷ ବର୍ଷ ହେଲା ଚାଲିଛି ।

ତେବେ ଗତ ବର୍ଷ ବନ ବିଭାଗ ପକ୍ଷରୁ ମହାନଦୀ କୂଳରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ପଟା ଜବତ କରାଯିବା ପରେ ମହାନଦୀ କୂଳରେ କାଠ ମାଫିଆ ଆଗ ପରି ପ୍ରତ୍ୟକ୍ଷ ଭାବରେ ସକ୍ରିୟ ନାହାନ୍ତି। ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ଥିବା ଜଙ୍ଗଲ ସମ୍ପଦ ଅଧିକ ବିପଦରେ ପଡିଛି। ଏହି ଅଂଚଳରେ ଥିବା କିଛି ବନ ବିଭାଗ କର୍ମଚାରୀ ତଥା କାଠ ମାଫିଆଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଯୋଗୁଁ ଜଙ୍ଗଲ କ୍ଷୟ ଘଟୁଛି। ଜିଲ୍ଲାରେ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଗତ କିଛି ବର୍ଷ ହେଲା ଗ୍ରୀଷ୍ମ ଋତୁରେ ଅନେକ ଦିନ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥାଏ ସୋନପୁର। ଏଣୁ ଜଙ୍ଗଲ ସୁରକ୍ଷା ପାଇଁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମ କରିବା ଜରୁରି ବୋଲି ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର