ବଡ଼ଘର ବଡ଼ ଗୁମର କଥା:ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ମାମଲା

ଗୁଣପୁର: ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କ ପରିବାର ବିରୋଧରେ ବୋହୂ ଆଣିଛନ୍ତି ଗୁରୁତର ଅଭିଯୋଗ । ଶ୍ୱଶୁର ରାମମୂର୍ତି ଗମାଙ୍ଗ, ଶାଶୂ ଛାୟାରାଣୀ ଏବଂ ସ୍ୱାମୀ ଲଳିତ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ନେଇ ଲଳିତଙ୍କ ପତ୍ନୀ ସସ୍ମିତା ଗମାଙ୍ଗ ଗୁଣପୁର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗକୁ ନେଇ ରାଜନୈତିକ ଚର୍ଚା ଜୋର ଧରିଛି।
ଅଭିଯୋଗରୁ ପ୍ରକାଶ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କ ପୁଅ ଲଳିତ ରଂଜନ ସ୍ଥାନୀୟ ଏସ୍‌ପିଗୁଡା ଗ୍ରାମର ଶିକ୍ଷୟିତ୍ରୀ ସସ୍ମିତା ଗମାଙ୍ଗଙ୍କୁ ଗତ ୨୦୧୭ ମେ ୨୨ତାରିଖରେ ଆଦିବାସୀ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହି ବିବାହ ଆନ୍ଧ୍ରର ମାନୁମୁକୁଣ୍ଡା ମାତରବନାମ ମନ୍ଦିରରେ ସଂପନ୍ନ ହୋଇଥିଲା। ବିବାହ ସମୟରେ ସସ୍ମିତାଙ୍କ ପରିବାର ପକ୍ଷରୁ ଯୌତୁକ ଦିଆଯାଇଥିଲା। ବିବାହ ପରେ ଲଳିତ ଓ ସସ୍ମିତା ଗୁଣପୁର ସ୍ଥିତ ବଳରାମନଗରରେ ପରିବାର ସହ ମିଳିମିଶି ରହୁଥିଲେ। ତେବେ ଏହାର କିଛି ମାସ ପରେ ଅଧିକ ଯୌତୁକ ଆଣିବା ଦାବି କରି ଲଳିତ, ଶ୍ୱଶୁର ରାମମୂର୍ତି ଓ ଶାଶୂ ଛାୟାରାଣୀ ସସ୍ମିତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ନିର୍ଯାତନା ଅଧିକ ହେବାରୁ ଶେଷରେ ଥାନାରେ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ତେବେ ଏହାର କିଛି ଦିନ ପରେ ପୁଣି ଥରେ ବାପ ଘରୁ ଅଧିକ ଯୌତୁକ ଆଣିବାକୁ କହି ଶାଶୂ ଘର ଲୋକେ ସସ୍ମିତାଙ୍କୁ ନିର୍ଯାତନା ଦେଇଥିଲେ। ଏପରିକି ଲଳିତ ପତ୍ନୀଙ୍କୁ ଖାଇବାକୁ ଦେଉ ନଥିଲେ।

ଅଧିକ ଯୌତୁକ ନମିଳିଲେ ଅନ୍ୟତ୍ର ବିବାହ କରିବି ବୋଲି ଧମକ ଦେଉଥିଲେ ବୋଲି ସସ୍ମିତା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜାନୁଆରି ୨୧ତାରିଖରୁ ଲଳିତ ପତ୍ନୀଙ୍କୁ ଏକୁଟିଆ ଛାଡି କୁଆଡେ ଚାଲି ଯାଇଥିଲେ। ଏନେଇ ଶାଶୂଘର ଲୋକ କୌଣସି ସୂଚନା ଦେଉନଥିବା ବେଳେ ଲଳିତଙ୍କୁ ବାରମ୍ବାର ଫୋନ କଲେ କୌଣସି ଉତ୍ତର ନ ମିଳିବାରୁ ସସ୍ମିତା ଚିନ୍ତାରେ ପଡିଥିଲେ। ଶେଷରେ ଗତକାଲି ରାତିରେ ସସ୍ମିତା ଗୁଣପୁର ଥାନାରେ ଏତଲା ଦେଇଥିଲେ। ସ୍ୱାମୀ ଲଳିତଙ୍କ ସମେତ ଶ୍ୱଶୁର ତଥା ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ ଓ ଶାଶୂ ଛାୟାରାଣୀ ଗମାଙ୍ଗ ଯୌତୁକ ନିର୍ଯାତନା ଦେଉଥିବା ସସ୍ମିତା ଏତଲାରେ ଉଲ୍ଲେଖ କରିଛନ୍ତି। ଏପରିକି ନିର୍ଯାତନା ସଂପର୍କରେ କାହାରିକୁ କହିଲେ ଜୀବନରେ ମାରିଦେଇ ଆତ୍ମହତ୍ୟା କରିଥିବା ଦର୍ଶାଇବୁ ବୋଲି ଶାଶୂ ଘର ଲୋକେ ଚେତାବନୀ ଦେଇ ଆସୁଥିବା ଅଭିଯୋଗ କରିଛନ୍ତି। ନିଜକୁ ଅସୁରକ୍ଷିତ ମଣୁଥିବାରୁ ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସସ୍ମିତା ଏତଲାରେ ଉଲ୍ଲେଖ କରିଛନ୍ତି।

ସସ୍ମିତାଙ୍କ ଅଭିଯୋଗ ପରେ ପୁଲିସ ଏନେଇ କେଶ୍‌ ନଂ-୩୭/୧୮ ଓ ଦଫା ୪୯୮(ଏ), ୫୦୬, ୩୪ଆଇପିିସି ଓ ୪ଡିପି ଅନୁଯାୟୀ ସ୍ୱାମୀ, ଶ୍ୱଶୁର ଓ ଶାଶୂଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଜି ପୁଲିସ ସସ୍ମିତା ଓ ଲଳିତଙ୍କ ଘରକୁ ଯାଇ ଘଟଣା ସଂପର୍କରେ ପଚରାଉଚରା କରୁଛି। ସେହିପରି ସ୍ଥାନୀୟ ଏସଡିଜେଏମ କୋର୍ଟରେ ସସ୍ମିତାଙ୍କ ବୟାନ ରେକର୍ଡ କରାଯାଇଛି। ଏସଂପର୍କରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ପଚାରିବାରୁ ଘଟଣାକୁ ଅତିରଞ୍ଜିତ କରାଯାଉଛି ବୋଲି କହିଛନ୍ତି। ଅନେକ ସମୟରେ ସସ୍ମିତା ମୋ ପୁଅ ଲଳିତଙ୍କୁ ଆକ୍ରମଣ କରିଛି। ଏନେଇ ଆଇନର ଆଶ୍ରୟ ନିଆଯିବ ବୋଲି ଶ୍ରୀ ଗମାଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସସ୍ମିତା ଲଳିତଙ୍କ ଦ୍ୱିତୀୟ ପତ୍ନୀ ଅଟନ୍ତି।

ସମ୍ବନ୍ଧିତ ଖବର