ଚୋରା ମଦ କାରବାର, ୪ ଗିରଫ

ଖଣ୍ଡଗିରି : ଶୁକ୍ରବାର ଭୁବନେଶ୍ୱର ଅବକାରୀ ମୋବାଇଲ୍‌ ସ୍କ୍ଵାଡ୍‌ ପକ୍ଷରୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚୋରାରେ ଦେଶୀ ମଦ ବେପାର କରୁଥିବା ଅଭିଯୋଗରେ ଏହି ସ୍କ୍ଵାଡ୍‌ ୩ ଜଣ ମହିଳା ଓ ଜଣେ ପୁରୁଷକୁ ଗିରଫ କରିଛି। ସେମାନେ ହେଲେ ପଟିଆ ଶିଖରଚଣ୍ଡୀ ବସ୍ତିର ବାସନ୍ତୀ ହେମ୍ବ୍ରମ୍‌, ବାଣୀବିହାର ଆଖଣ୍ଡଳମଣି ବସ୍ତିର ମାମି ବାରିକ, ଚନ୍ଦ୍ରଶେଖରପୁର ରାଧାକୃଷ୍ଣ ଲେନ୍‌ ବସ୍ତିର କାନ୍ଦିମାନୀ ମୁର୍ମୁ ଓ ସେହି ବସ୍ତିର ସିଲୁ ସୋରେନ୍‌। ଏମାନେ ନିୟମିତ ଚୋରା ମଦ କାରବାର କରୁଥିବା ଅଭିଯୋଗ ହେଉଥିଲା। ଅବକାରୀ ପୁଲିସ ସେମାନଙ୍କଠାରୁ ପ୍ରାୟ ୫୦ ଲିଟର ଆସ୍କାଫଟି ଓ ହାତ ରନ୍ଧା ଦେଶୀ ମଦ ଜବତ କରିଛି। ସ୍କ୍ଵାଡ୍‌ରେ ଇନ୍‌ସ୍ପେକ୍ଟର ଦେବୀପ୍ରସାଦ ଦାସ, ଏସ୍‌ଆଇ ହୃଦୟଚନ୍ଦ୍ର ସାମନ୍ତ, ସୁଜିତ୍‌ କୁମାର ମୁଦୁଲି ଓ ଅନ୍ୟ କର୍ମଚାରୀମାନେ ସାମିଲ୍‌ ହୋଇଥିଲେ।

ନାବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଜଣେ ୧୭ବର୍ଷର ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ନୟାଗଡ଼ ଚାନ୍ଦିପୁର ମଶାଣୀସାହିର ଦୀପକ ସାହୁ(୨୧)। ପୁଲିସ ସୂଚନା ଅନୁଯାୟୀ ଦୀପକ ଟଙ୍କପାଣି ରୋଡ଼୍‌ ଚିଲି ପୋଖରୀ ପାଖରେ ରହେ। ସେ ଗତ ୩ତାରିଖରେ ବଡ଼ଗଡ଼ ଥାନା ଅଧୀନ ଚାରିଛକ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିଥିଲା ବୋଲି ନାବାଳିକାର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାକୁ ଚାନ୍ଦିପୁରରୁ ଉଦ୍ଧାର କରି ଆଜି ପୁଲିସ ଜିମା ଦେବା ସହ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର