ଲୋନ୍‌ ନାଁରେ ୧୦ ଲକ୍ଷ ଠକେଇ, ଅଫିସ୍‌ ବନ୍ଦ କରି ପଳାଉଥିଲେ ଧରିଲା ପୁଲିସ୍‌

ଭୁବନେଶ୍ବର: ଗ୍ରୁପ୍‌ ଲୋନ୍‌ ଦେବା ପାଇଁ ବୀମା ବାବଦକୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଆଜି ଜଣେ ଠକକୁ ଗିରଫ କରିଛି। ତା ନାଁ ମୋଜାମିନ୍ ହୁସେନ। ଘର କେନ୍ଦ୍ରାପଡ଼ା ଜିଲ୍ଲା ଖଡ଼ିଅଙ୍ଗରେ। ଏଠାରେ ଜିଜିପି କଲୋନିର ବସୁନ୍ଧରା ଆପାର୍ଟମେଣ୍ଟରେ ଥିବା ଓଏସ୍‌ଏନ୍‌ ଇଣ୍ଡିଆ ସର୍ଭିସ୍‌ ନାମକ ସଂସ୍ଥା‌େର କାମ କରେ। ଆଜି ମୋଜାମିନ୍‌କୁ କୋର୍ଟ ଚାଲାଣ କରିଛି ପୁଲିସ। ତେବେ ସଂସ୍ଥାର ମୁଖ୍ୟ କୁହାଯାଉଥିବା ଅମିୟ ରଞ୍ଜନ ଦାସ ଫେରାର ‌ହୋଇ ଯାଇଛି। ପୁଲିସ ଅମିୟ ମୋବାଇଲ୍ ଫୋନ୍ ଟ୍ରାକ୍‌ କରୁଛି। ସେ ଖୁବ୍‌ଶୀଘ୍ର ଗିରଫ ହେବ ବୋଲି ତଦନ୍ତକାରୀ ଅଧିକାରୀ ସନ୍ତୋଷ ଶତପଥୀ କହିଛନ୍ତି। ତେବେ ଏହି ସଂସ୍ଥା ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଜେଣ୍ଟ ରଖି ମୋଟା ଅଙ୍କରେ ଅର୍ଥ ଆଦାୟ କରୁଥିବାରୁ ଠକେଇ ଅର୍ଥ ପରିମାଣ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ସନ୍ଦେହ କରୁଛି।

ଅଭିଯୋଗ ମୁତାବକ, ୧ହଜାର୧୩୦ ଟଙ୍କା ବୀମା ଅର୍ଥ ଜମା କଲେ ୧୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଗ୍ରୁପ୍‌ ଲୋନ୍‌ ମିଳିପାରିବ। ଏଭଳି ଘୋ‌ଷଣା କରି ଜିଜିପି କଲୋନିରେ ଓଏସ୍‌ଏନ୍‌ ନାମକ ଏକ ସଂସ୍ଥା ଖୋଲିଥିଲା। ବୀମା ଅର୍ଥ ସଂଗ୍ରହ କରିବା ପାଇଁ ସଂସ୍ଥା ୧୬ ଜଣ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲା। ଏଜେଣ୍ଟମାନେ ବୁଲି ବୁଲି ମହିଳାମାନଙ୍କୁ ଏକାଠି କରି ଗ୍ରୁପ୍‌ କରିବା ସହ ଏହି ବୀମା ରାଶି ସଂଗ୍ରହ କରିଥିଲେ। ଲକ୍ଷ ଲକ୍ଷ ଟଙ୍କା ସଂଗୃହୀତ ହୋଇଥିଲେ ମଧ୍ୟ ସଂସ୍ଥା ଋଣ ଦେବା ଆରମ୍ଭ କରି ନଥିଲା। ‘କାଗଜପତ୍ର କାମ ଚାଲିଛି, ଋଣମଞ୍ଜୁର ହେଲେ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ଦିଆଯିବ’ ବୋଲି କହି ସଂସ୍ଥା ସମୟ ଗଡ଼ାଇ ଚାଲିଥିଲା। ସନ୍ଦେହ ହେବାରୁ ବୁଧବାର ଗଞ୍ଜାମର ଜଣେ ଏଜେଣ୍ଟ ମିନତି ପାଢ଼ୀ ଜିଜିପି କଲୋନିର ଏହି ସଂସ୍ଥା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପହଞ୍ଚିବା ବ‌େଳେ ଏକ ଗାଡ଼ିରେ ଅଫିସର ସମସ୍ତ ଆସବାବପତ୍ର ଲଦା ହେଉଥିବା ଦେଖିଥିଲେ। ଏହା ଦେଖି ସେ ତୁରନ୍ତ ମଞ୍ଚେଶ୍ବର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଉପସ୍ଥିତ କର୍ମଚାରୀ ମୋଜାମିନ୍‌ ହୁସେନ୍‌ଙ୍କୁ ଗିରଫ କରିଛି। ଏଭଳି ଶହ ଶହ ସଂସ୍ଥା ଲୋନ୍‌ ଦେବା ନାଁରେ ମୋଟା ଅଙ୍କର ବୀମା ରାଶି ସଂଗ୍ରହ କରି ଫେରାର ହୋଇଯାଉଥିବା ନଜିର ରହିଛି। ପୁଲିସ ପାଖରେ ସୂଚନା ରହୁ ନଥିବାରୁ ଅଭିଯୋଗ ପରେ ଏମାନଙ୍କୁ ଟ୍ରାକ୍‌ କରିବା ସମ୍ଭବ ହେଉନାହିଁ।

ସମ୍ବନ୍ଧିତ ଖବର