ଖଣ୍ଡଗିରି : ଆଧାର ଲିଙ୍କ୍‌ ଆଳ‌‌ରେ ୩.୨ ଲକ୍ଷ ଚଳୁ, ଧୂର୍ତ୍ତ ଦମ୍ପତି ଗିରଫ

ଖଣ୍ଡଗିରି : ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ କରିବାବେଳେ ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୩ ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରିନେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଧାର ଲିଙ୍କ କମ୍ୟୁନିକେସନ୍ କେନ୍ଦ୍ରର ପରିଚାଳକ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦମ୍ପତି ହେଲେ କେନ୍ଦ୍ରାପଡ଼ା ରାଜକନିକା ଥାନା ତରାସ ମଝିସାହିର ବିଭୁପ୍ରସାଦ ନାୟକ(୨୬) ଓ ତାଙ୍କ ସ୍ତ୍ରୀ ରେଖାରାଣୀ ନାୟକ(୨୪)। ବୁଧବାର ପୁଲିସ ଉକ୍ତ କମ୍ୟୁନିକେସନ୍ କେନ୍ଦ୍ରରୁ କମ୍ପ୍ୟୁଟର ଓ ୮ ହଜାର ଟଙ୍କା ଜବତ କରିବା ସହ ଅଧିକ ଛାନ୍‌ଭିନ୍ ଚଳାଇଛି।

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ବିଭୁପ୍ରସାଦ ଭରତପୁର ଜିଏ କଲୋନି ପ୍ଲଟ ନଂ-୫୮ ଭଡ଼ାକୁ ନେଇ ନାୟକ କମ୍ୟୁନିକେସନ୍ ନାଁରେ ଏକ ସାଇର୍ବ ପଏଣ୍ଟ‌ ଚଳାଉଥିଲେ। ସେଠାରେ ସେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଓ ପ୍ୟାନ୍ ଆଦି ଲିଙ୍କ୍ କରାଉଥିଲେ। ଗତ ମାସରେ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ଗାଁର ମାଲ୍ୟବନ୍ତ ସ୍ବାଇଁ(୭୦) ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ କରିବାକୁ ବିଭୁ ସାଇବର କେନ୍ଦ୍ରକୁ ଆସିଥିଲେ। ଆଧାର ଲିଙ୍କ ପ୍ରକ୍ରିୟାରେ ମୋବାଇଲ୍‌ ଫୋନ୍‌ ସେଟ୍‌କୁ ଓଟିପି ଆସିବା ଭଳି ଜଟିଳ ବ୍ୟବସ୍ଥା ବୁଝିନପାରି ଶ୍ରୀ ସ୍ବାଇଁ ତାଙ୍କ ମୋବାଇଲ୍‌ ଫୋନ୍ ସେଟ୍‌କୁ ବିଭୁ ହାତକୁ ସ୍ବତଃ ବଢ଼ାଇ ଦେଇଥିଲେ। ମାତ୍ର ଧୂର୍ତ୍ତ ବିଭୁ ଶ୍ରୀ ସ୍ବାଇଁଙ୍କ ସରଳ ବିଶ୍ବାସର ଫାଇଦା ଉଠାଇବାକୁ ପଛାଇଲା ନାହିଁ। ସେହିଦିନ ହିଁ ସେ ଉକ୍ତ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟି ନେଇଥିଲା ଓ ନେଟ୍ କାମ କରୁନଥିବା ବାହାନାରେ ପରଦିନ ଆସିବାକୁ କହି ତାଙ୍କୁ ବିଦା କରି ଦେଇଥିଲା। ପରଦିନ ଶ୍ରୀ ସ୍ବାଇଁ ପୁଣି ବିଭୁ ପ‌ାଖକୁ ଆସିଥିଲେ ଓ ଅନୁରୂପଭାବେ ବିଭୁ ତାଙ୍କ ଆକାଉଣ୍ଟରୁ ପୁଣି ୨୫ ହଜାର ଟଙ୍କା ଲୁଟି ନେଇଥିଲା ଓ ଲିଙ୍କ୍ କାମ କରୁନି ବୋଲି କହି ଫେରାଇ ଦେଇଥିଲା। ଏମିତି ପ୍ରାୟ ୫ ଥରରେ ସେ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟିବା ପରେ ଆଧାର ଲିଙ୍କ ହୋଇଗଲା ବୋଲି ଶ୍ରୀ ସ୍ବାଇଁଙ୍କୁ କହିଥିଲା। ବଡ଼ ଖୁସିରେ ସେ ଝିଅ ବାହାଘର ପାଇଁ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଥିଲେ। ତେବେ ଆକାଉଣ୍ଟରେ ମାତ୍ର ୨୦ ହଜାର ଟଙ୍କା ଅଛି ବୋଲି ଶୁଣିବା ପରେ ତାଙ୍କ ମୁଣ୍ଡ ଘୁରାଇ ଦେଇଥିଲା। ସେ ୩ ଲକ୍ଷ ୨୦ ହଜାର ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍‌ସଫର କରିଛନ୍ତି ବୋଲି କହି ବ୍ୟାଙ୍କ ଅଧିକାରୀ ତାଙ୍କୁ ଫେରାଇ ଦେଇଥିଲେ। ଶ୍ରୀ ସ୍ବାଇଁ ବୁଝି ପାରିଥିଲେ ଯେ ବିଭୁ ଛଡ଼ା ସେ ମୋବାଇଲ୍‌ ଫୋନ୍‌ ଓ ଆକାଉଣ୍ଟ ବହି କାହାକୁ ଦେଇନଥିବାରୁ ସେ ହିଁ ଏଭଳି କାଣ୍ଡ କରିଛି। ତେଣୁ ସେ ସହିଦନଗର ଥାନା ଓ ପରେ ସାଇବର ଥାନାରୁ ହତାଶ ହୋଇ ଫେରିବା ପରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ପ୍ରଥମେ ଧୂର୍ତ୍ତ ବିଭୁ ପୁଲିସକୁ ଗାଲୁ କରିଚାଲିଲେ ବି ପରେ ସବୁ ସତ ମାନିଯାଇଥିଲା ଓ ଟଙ୍କାତକ ତାଙ୍କ ସ୍ତ୍ରୀ ରେଖାରାଣୀଙ୍କ ଆକାଉଣ୍ଟରେ ଜମା କରିଥିବା କହିଥିଲା। ମାତ୍ର ପୁଲିସ ରେଖାଙ୍କ ଆକାଉଣ୍ଟ ଯାଞ୍ଚ କଲାବେଳକୁ ସବୁତକ ଟଙ୍କା ଗାଏବ୍ ହୋଇ ସାରିଥିଲା।

ସମ୍ବନ୍ଧିତ ଖବର