୩୦ କୋଟି ଟଙ୍କା ଠକି ପଳାତକ ଘୋଷିତ ଦଂପତିଙ୍କୁ ଗିରଫ କଲା ପୁଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟର କେତେକ ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗରେ ଦଂପତିଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବିନୋଦ ବଂସଲ (୫୭) ଓ ତାଙ୍କ ପତ୍ନୀ ପ୍ରୀତି ବଂସଲ (୫୬)। ଏ ଦୁହେଁ ଗୁରଗାଓଁର ବାସିନ୍ଦା। ଉଭୟଙ୍କର ବିରୋଧରେ ନ୍ୟାୟାଳୟରେ ଏକ ଡଜନରୁ ବି ଅଧିକ ଠକେଇ ମାମଲା ବିଚାରଧୀନ ରହିଛି। ସେମାନଙ୍କୁ ନ୍ୟାୟାଳୟ ପଳାତକ ଘୋଷିତ କରିଥିଲୋ। ଏ ଦୁହିଁଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ଦୀର୍ଘ ଦିନ ଧରି ସିବିଆଇ ଏ ଦୁହିଁଙ୍କୁ ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। କିନ୍ତୁ ଏହି ଦଂପତିଙ୍କୁ ଧରିବାରେ ସଫଳ ହୋଇ ନଥିଲା ।

ଦକ୍ଷିଣ ଦିଲ୍ଲୀର ଡିସିପି ବିଜୟ କୁମାରଙ୍କ ନେତ୍ୱରେ ଏକ ପୁଲିସ ଟିମ୍‌ ଏହି ପଳାତକ ଦଂପତିଙ୍କ ସନ୍ଧାନ କରି ଉଭୟଙ୍କୁ ସୂର୍ଯ୍ୟବିହାର ଅଞ୍ଚଳରୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବିନୋଦ ବଂସଲ ଜଣେ ଗ୍ରାଜୁଏଟ୍‌ ଓ ପତ୍ନୀ ପ୍ରୀତି ଜଣେ ପୋଷ୍ଟ ଗ୍ରାଜୁଏଟ୍‌। ୧୯୮୩ରେ ବିନୋଦ ଚାକିରି ସନ୍ଧାନରେ ଦିଲ୍ଲୀ ଆସିଥିଲେ ଓ ପରେ ଫରିଦାବାଦରେ ଜମିଜମା କିଣାବିକା କାମରେ ନିୟୋଜିତ ହୋଇଥିଲେ। ୨୦୦୬ରେ ସିବିଆଇ ସେମାନଙ୍କୁ ପ୍ରଥମେ ଏକ ଗ୍ରୁପ୍‌ ହାଉସିଂ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଏମାନେ ଦିଲ୍ଲୀ ବ୍ୟତୀତ ପଞ୍ଜାବ ଓ ହରିଆଣାରେ ବି ଠକେଇ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର