ଆନିମେସନ୍‌ ସ୍କୁଲ୍‌ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ନିର୍ଦେଶକ ଗିରଫ

ଭୁବନେଶ୍ୱର: ଆନିମେସନ୍‌ ସ୍କୁଲ୍‌ ନାଁରେ ପିଲାଙ୍କୁ ସାର୍ଟିଫିକେଟ୍‌ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଏକ ସଂସ୍ଥାର ନିର୍ଦେଶକ ଚନ୍ଦ୍ରଶେଖର ପାତ୍ର(୩୮)ଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ୩-୪ ବର୍ଷ ହେବ ଚନ୍ଦ୍ରଶେଖର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସେକ୍ଟର-୩ ଜୋନ୍‌-ଏ/୮୭ରେ ଜେବିସି ନାମକ ଏକ ଆନିମେସନ୍‌ ସ୍କୁଲ ଆରମ୍ଭ କରିଥିଲେ। ପିଲାମାନଙ୍କୁ ଆନିମେସନ୍‌ ଶିକ୍ଷା ଦେବା ଓ ଭଲ ଭଲ ସଂସ୍ଥାରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ। ଆବେଦନକାରୀଙ୍କଠାରୁ ଟଙ୍କା ନେଇ ସଂସ୍ଥାରେ ନାମ ଲେଖାଇଥିଲେ। ଆଉ କୋର୍ସ ସରିବା ପରେ ଚାକିରି ଦେବା ତ ଦୂରର କଥା ସାର୍ଟିଫିକେଟ୍‌ ଦେଇ ନଥିଲେ। ଏନେଇ ପ୍ରସନ୍ନ ସାହୁ ଓ ରମାକାନ୍ତ ନାୟକ ନାମକ ଦୁଇ ଜଣ ଯୁବକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଚନ୍ଦ୍ରଶେଖର କୋର୍ସ ବାବଦକୁ ଉଭୟଙ୍କଠାରୁ ୪ଲକ୍ଷ ଟଙ୍କା ନେଇଥିବା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଚନ୍ଦ୍ରଶେଖରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ଠକେଇ ନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର