ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିନେଲା ମାର୍କେଟିଂ ସଂସ୍ଥା

ଧଉଳି: ଦରମା ମାସକୁ ୭୦୦ ଟଙ୍କା। ବୟସ ଓ ଯୋଗ୍ୟତାକୁ ମାପକାଠି କରି ଚାକିରି ମିଳିବ। ଏପରି ଚାକିରି ଦେବାକୁ କହି ଧଉଳି ଥାନା ଅଞ୍ଚଳରେ ଠିକ୍‌ ବର୍ଷକ ତଳେ ଖୋଲିଥିବା ଏକ ମାର୍କେଟିଂ ସଂସ୍ଥା ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ପିପିଲି ଥାନା ଅଧୀନ ଦାଣ୍ଡ ମକୁନ୍ଦପୁର ଅଞ୍ଚଳର କବିତା ବେହେରା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଆଜି ସନ୍ଧ୍ୟାରେ ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ଓ ପୁରୀ ଜିଲ୍ଲା ସଭାପତି ଜୟଦେବ ବେହେରାଙ୍କ ନେତୃତ୍ୱରେ ଠକେଇର ଶିକାର ହୋଇଥିବା ମହିଳାମାନେ ଧଉଳି ଥାନାରେ ପହଞ୍ଚି ପୁଲିସ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏଦିଗରେ ଥାନା ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କବିତା ବେହେରାଙ୍କ ସହିତ ଆଉ କିଛି ମହିଳାଙ୍କ ଜରିଆରେ ଉକ୍ତ ସଂସ୍ଥା ମୋଟ ୧୩୦ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇ ଆଉ ଧରାଛୁଅାଁ ଦେଉ ନଥିବା ବିଷୟରେ ସଂଗଠନର ମୁଖ୍ୟ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ବିଶେଷ କରି ପିପିଲି ଥାନା ଅଧୀନ ଦାଣ୍ଡମକୁନ୍ଦପୁର, ପିପିଲି ହାଟସାହି, ଅରିସଲ, ଡେଲାଙ୍ଗ, ଇଚ୍ଛାପୁର, ପିତାପଡ଼ା, କାକଟପୁର, ଲକ୍ଷ୍ମୀ ନାରାୟଣପୁର, ନୂଆ ଶାସନ ଆଦି ଅଞ୍ଚଳର ବିଶେଷ କରି ଅନେକ ମହିଳା ଏହି ଘରୋଇ ସଂସ୍ଥାରେ ଚାକିରି କରିବା ପାଇଁ ଲକ୍ଷାଧିକ ଟଙ୍କା ଦେଇଥିବା କହିଛନ୍ତି। ସଂସ୍ଥାର ମାଲିକ ସୁଦର୍ଶନ ବାଗ୍‌ ଓ ଗୀତାଞ୍ଜଳି ମହାରଣାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଧଉଳି ଥାନା ଅଧୀନ ସରଦେଇପୁର ଅଞ୍ଚଳରେ ଅଲ ଟୋଟାଲ ମାର୍କେଟିଂ ନାମରେ ଏହି ଠକ ସଂସ୍ଥା ଖୋଲିଥିବା ନେଇ ଅଭିଯୋଗ ହୋଇଛି। ହେଲେ ଏବେ ସଂସ୍ଥାର ଅଫିସ୍‌ରେ ତାଲା ଝୁଲୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୋଗ ଗ୍ରହଣ କରି ଲୋକଙ୍କୁ ଚୂନ ଲଗାଇ ଥିବା ଏହି ଠକ ସଂସ୍ଥା ସଂପର୍କରେ ଧଉଳି ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଅଧିକାରୀ ଦ୍ୱୟଙ୍କୁ ଧରିବା ପାଇଁ ଯୋଜନା ଚଳାଇଛି। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର