ମାନବ ଚାଲାଣ ର‍୍ୟାକେଟ୍‌ ଠାବ, ୬ ଦଲାଲ୍‌ ଗିରଫ

କୁଏତ୍‌ ତୈଳ କର୍ପୋରେସନ୍‌ରେ ଚାକିରି ଲୋଭ

ଖଣ୍ଡଗିରି: କୁଏତ୍‌ ତୈଳ କର୍ପୋରେସନ୍‌ରେ ଭଲ ଦରମାରେ ଚାକିରି କରାଇ ଦେବାର ଲୋଭ ଦେଖାଇ ବେଆଇନଭାବେ ଓଡ଼ିଶାରୁ ଯୁବକମାନଙ୍କୁ ବିଦେଶ ଚାଲାଣ କରୁଥିବା ଏକ ର‍୍ୟାକେଟ୍‌କୁ ଖଣ୍ଡଗିରି ଥାନା ପୁଲିସ ଠାବ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦଲାଲମାନଙ୍କ ଭିତରେ ୪ ଜଣ ମୁମ୍ବାଇର ଓ ୨ ଜଣ ଓଡ଼ିଶା ଖୋର୍ଧା ଜିଲ୍ଲାର। ମୁମ୍ବାଇ ଥାନେ ଥାନା କାଉସା ଅଞ୍ଚଳର ଗୋଲ୍‌ଡେନ୍‌ ପାର୍କର ଅସ୍‌ଗର ଅଲ୍ଲୀ ସୟଦ୍‌(୪୮), ମଲ୍ଲିକ ହାଇଟ୍‌ର ସେକ୍‌ ନିଜାମୁଦ୍ଦିନ୍‌ ଗୟାଉଦ୍ଦିନ୍‌(୫୦), ସାଜିଦ୍‌ ଅଲ୍ଲୀ ମାନିଆର୍‌(୪୮) ଓ ମହାରାଷ୍ଟ୍ର ରତ୍ନଗିରି ସାମନ୍ତବାଡ଼ିର ମୁସ୍ତାକ ମହମ୍ମଦ ସେଖ୍‌(୫୬)। ଏମାନେ ସ୍କାଏ୍‌ ଟୁର୍‌ ଆଣ୍ଡ ଟ୍ରାଭେଲ୍‌ ନାମକ ଏକ ସଂସ୍ଥାର କର୍ମକର୍ତ୍ତା। କିନ୍ତୁ ଏମାନେ ନିିଜକୁ କୁଏତ୍‌ ତୈଳ କର୍ପୋରେସନ୍‌ର ପ୍ଲେସ୍‌ମେଣ୍ଟ ଅଧିକାରୀ ବୋଲି ମିଛ ପରିଚୟ ଦେଇ ଏଭଳି କାଣ୍ଡ କରୁଥିଲେ। ଓଡ଼ିଶାର ଦୁଇ ଦଲାଲ୍‌ ହେଲେ ଖୋର୍ଧା ବୋଲଗଡ଼ ମର୍ଦାବାଡ଼ିର ପ୍ରମୋଦ କୁମାର ମହାରଣା(୩୬) ଓ ଚିତ୍ତରଞ୍ଜନ ମହାରଣା(୩୦)। ଏମାନେ ଓମ୍‌ ଶ୍ରୀ ଟ୍ରାଭେଲ୍‌ ନାମରେ ଏକ ସଂସ୍ଥା କରିଛନ୍ତି। ଖଣ୍ଡଗିରି କୋଳଥିଆସ୍ଥିତ ଏକ ଗେଷ୍ଟ୍‍ ହାଉସ୍‌ରେ ସାକ୍ଷାତକାର ଚାଲିଥିବା ସମୟରେ ଖଣ୍ଡଗିରି ଥାନା ପୁଲିସ ଏହି ର‍୍ୟାକେଟ୍‌କୁ ଠାବ କରିଥିଲା। ପୁଲିସ ସେମାନଙ୍କଠାରୁ ୧୦ଟି ମୋବାଇଲ୍‌, ୭୫ ପାସ୍‌ପୋର୍ଟ, ୨୦୦ ଦରଖାସ୍ତ, ପୁଳାଏ ପାନ୍‌ କାର୍ଡ, ଭୋଟର୍‌ ପରିଚୟ ପତ୍ର ଓ ଆଧାର କାର୍ଡ ଜବତ କରିଛି।

ମୁଣ୍ଡପିଛା କମିସନ୍‌ ୪୦ ହଜାର ଟଙ୍କା
ଏହି ର‍୍ୟାକେଟ୍‌ ଗଲ୍‌ଫ ଦେଶମାନଙ୍କୁ ଲୋକ ପଠାଇବା ବାବଦରେ ଢ଼େର୍‌ କମିସନ ପାଉଥିଲେ। ଯେଉଁ ଯୁବକମାନଙ୍କୁ ସେମାନେ କୁଏତ୍‌ ପଠାଇଥାଆନ୍ତେ ସେମାନଙ୍କ ବାବଦରେ ମୁଣ୍ଡ ପିଛା ୪୦ ହଜାର ଟଙ୍କା କମିସନ୍‌ ପାଇବାର ଥିଲା। ପ୍ରଥମ ପର୍ଯ୍ୟାୟରେ ୯ ମାସ ପାଇଁ ଭିସା କରାଯାଇଥାଏ ଓ ଏହି କମିସନ ମିଳେ। ପୁଣି ପରେ ଯଦି କେହି ଭିସା ଅବଧି ବୃଦ୍ଧି କରେ, ତେବେ ଏହି ଦଲାଲମାନେ ଆହୁରି ଅଧିକ କମିସନ ପାଆନ୍ତି।

ବେଆଇନ୍‌ ମାନବ ଚାଲାଣ ଏକ ଗୁରୁତର ସମସ୍ୟା

ଆଜି ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ର‍୍ୟାକେଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ସରକାରଙ୍କ ଅଗୋଚରରେ ବେଆଇନଭାବେ ମାନବ ଚାଲାଣ କରୁଥିବା ଏଭଳି ର‍୍ୟାକେଟ୍‌ ପାଇଁ ଉଭୟ ସରକାର ଓ ଚାକିରି ଲୋଭରେ ବିଦେଶ ପଳାଉଥିବା ଯୁବକମାନେ କିଭଳି ଭବିଷ୍ୟତରେ ହଇରାଣ ହୁଅନ୍ତି, ତାହା ଉପରେ ସିପି ଶ୍ରୀ ଖୁରାନିଆ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଚାକିରି ତଥା ଅଧିକ ଉପାର୍ଜନ ଲୋଭରେ ଯୁବକମାନେ ଏଭଳି ଦଲାଲମାନଙ୍କ କଥାରେ ବିଦେଶ ପଳାନ୍ତି। ବିନା ସରକାରୀ ରେକର୍ଡରେ ଏଭଳି ମାନବ ଚାଲାଣ ଦ୍ୱାରା ସରକାରଙ୍କ ନିକଟରେ କୌଣସି ହିସାବ ନ ଥାଏ। ତେଣୁ ପରେ ଯେତେବେଳେ ବିଦେଶରେ ଯୁବକମାନେ ଶୋଷଣର ଶିକାର ହୁଅନ୍ତି, ବା କୌଣସି ଅଘଟଣ ଘଟେ, ସେତେବେଳେ ଉକ୍ତ ଯୁବକମାନଙ୍କ ବାବଦରେ ଶ୍ରମ ବିଭାଗ କିମ୍ବା ଭାରତୀୟ ଦୂତାବାସ ନିକଟରେ କୌଣସି ତଥ୍ୟ ନଥାଏ। ଫଳରେ ସେମାନଙ୍କୁ ଉଦ୍ଧାର କରିବାରେ ବଡ଼ ସମସ୍ୟା ସୃଷ୍ଟି ହୁଏ। ଏଭଳି ବେଆଇନ୍‌ ମାନବ ଚାଲାଣ କରୁଥିବା ର‍୍ୟାକେଟ୍‌ ବାବଦରେ ଲୋକେ ସଚେତନ ହେବା ସହ ତୁରନ୍ତ ପୁଲିସର ସହଯୋଗ ନେବାକୁ ସିପି ଶ୍ରୀ ଖୁରାନିଆ କହିଛନ୍ତି।

ସାଦା ପୋଷାକରେ ପୁଲିସ ସାକ୍ଷାତକାର ଦେଇଥିଲା
ପୁଲିସ ସୂଚନାନୁସାରେ ଗତ ୧୩ ତାରିଖରୁ କୋଳଥିଆ ଏକ୍‌ସେଲ୍‌ ଗେଷ୍ଟ ହାଉସରେ ଏହି ସାକ୍ଷାତକାର ଆରମ୍ଭ ହୋଇଥିଲା। କୁଏତ୍‌ ତୈଳ କର୍ପୋରେସନ୍‌ରେ ପ୍ଲମ୍ବର, ମେକାନିକ୍‌, ମେସିନ୍‌ ମ୍ୟାନ୍‌, ଡ୍ରାଇଭର, ହେଲପର୍‌ ଆଦି ବିଭିନ୍ନ ପ୍ରକାର କାମରେ ନିଯୁକ୍ତି କରାଇବା ପାଇଁ ଏହି ସାକ୍ଷାତକାର ଚାଲିଥିଲା। ଖୋର୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ବୋଲଗଡ଼ ଆଦି ଅଞ୍ଚଳ ସହ ନୟାଗଡ଼ ଜିଲ୍ଲାରୁ ପ୍ରାୟ ୩ଶହରୁ ଅଧିକ ଯୁବକ ଏହି ସାକ୍ଷାତକାର ପାଇଁ ଏକାଠି ହୋଇଥିଲେ। ସାକ୍ଷାତକାର ବେଳେ କିଛି ଯୁବକ ଏହି ଦଲାଲମାନଙ୍କ ଉପରେ ସନ୍ଦେହ କରିଥିଲେ। କେତେ ଜଣ ଯୁବକ ଚତୁରତାର ସହ ଖଣ୍ଡଗିରି ଥାନାରେ ଜଣାଇଥିଲେ। ଖବର ପାଇବା ପରେ ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁ ମାମଲାର ଛାନ୍‌ଭିନ୍‌ କରିବା ପାଇଁ ତୁରନ୍ତ ଏକ ଟିମ୍‌କୁ ସାଦା ପୋଷାକରେ ଘଟଣାସ୍ଥଳକୁ ପଠାଇଥିଲେ। ସାଦା ପୋଷାକରେ ଥିବା ପୁଲିସ ଗେଷ୍ଟ୍‍ ହାଉସ୍‌ରେ ପହଞ୍ଚିବା ସହ ସାକ୍ଷାତକାର ନେଉଥିବା ମୁମ୍ବାଇର ୪ ଜଣ କୁଏତ୍‌ ତୈଳ କର୍ପୋରେସନ୍‌ର ଅଧିକାରୀ ନୁହନ୍ତି ବୋଲି ଜାଣିବାକୁ ପାଇଥିଲେ। ୧୪ ତାରିଖ ସକାଳ ପ୍ରାୟ ୧୦ଟାବେଳେ ପୁଣି ସାକ୍ଷାତକାର ଆରମ୍ଭ ହେଉ ହେଉ ସେଠାରେ ଖଣ୍ଡଗିରି ଥାନା ପୁଲିସ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର