ଭାମ୍ପାୟାର: ପ୍ରିୟ ସାଙ୍ଗକୁ ହତ୍ୟା କରି ପିଇଥିଲା ରକ୍ତ, ରୁଷ ଯାଇ ନକଲି ଡାକ୍ତର ବନି ଲୋକଙ୍କୁ ବୋକା ବନାଉଥିଲା

ମସ୍କୋ:  ରୁଷରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ନକଲି କାଗଜପତ୍ର ଦେଖାଇ ଗତ ୧୦ବର୍ଷ ଧରି ନକଲି ଡାକ୍ତର ଭାବେ କାମ କରି ଆସୁଥିଲା। ପୁଲିସ ଏହି ମାମଲାର ଛାନ୍‌ଭିନ୍‌ କରିବା ପରେ ଜଣାପଡ଼ିଥିଲା କି, ଗିରଫ ହୋଇଥିବା ବ୍ୟକ୍ତି ନିଜର ହାଇସ୍କୁଲ ସାଙ୍ଗକୁ ହତ୍ୟା କରିବା ପରେ ପିଶାଚ ଭଳି ତାର ରକ୍ତକୁ ପିଇ ଯାଇଥିଲା। ଏଭଳି କାଣ୍ଡ ଘଟାଇବା ପରେ ସେ ୧୦ବର୍ଷ ହେବ ନକଲି କାଗଜପତ୍ର ଆଧାରରେ ମାନସିକ ରୋଗ ବିଶେଷଜ୍ଞ ଭାବେ କାମ କରି ଆସୁଥିଲା।

ଏହି ବ୍ୟକ୍ତିଙ୍କ ନାମ ବୋରିସ କୋଣ୍ଡ୍ରାସିନ୍‌ ଓ ବୟସ ୩୬ ବର୍ଷ ବୋଲି ଜଣାପଡ଼ିଛି। ଚେଲୟାବିନସ୍କର ଉରାଲ୍ସ ସହରରେ ଅନେକ ବର୍ଷ ହେବ ନକଲି ଡାକ୍ତର ଭାବେ କାମ କରି ଆସୁଥିଲା। ଗତ ନଭେମ୍ବରରେ ବୋରିସ ବିରୋଧରେ ନକଲି ଡିଗ୍ରି ଜରିଆରେ ଚାକିରି ହାସଲ କରିଥିବା ଅଭିଯୋଗ ହୋଇଥିଲା। ବୋରିସ୍‌ ପାଖରୁ ପୁଲିସ ନକଲି ଦସ୍ତାବିଜ ଜବତ କରିଛି। ଯେଉଁଥିରୁ ପ୍ରମାଣ ମିଳୁଛି କି ସେ ନକଲି ଡାକ୍ତର ବନି ଲୋକଙ୍କୁ ଭୁଆଁ ବୁଲାଉ ଥିଲା।

ପ୍ରକାଶିତ ଖବର ମୁତାବକ, ୧୯୯୮ ମସିହାରେ କୋଣ୍ଡ୍ରାସିନ୍‌ ନିଜ ୧୬ବର୍ଷର ପ୍ରିୟ ସାଙ୍ଗକୁ ପ୍ରଥମେ ଇନ୍‌ଜେକ୍‌ସନ୍‌ ଓ ପରେ ତା’ର ଶରୀରକୁ କାଟି ହତ୍ୟା କରିଥିଲା। ଏହାପରେ ସାଙ୍ଗର ମୃତଦେହରୁ ବାହାରୁ ଥିବା ରକ୍ତକୁ ପିଇଥିଲା। କୋଣ୍ଡ୍ରାସିନ୍‌ ନିଜକୁ ପିଶାଚ ବୋଲି କହିଥାଏ। କାନଦାରସିନ୍‌ଙ୍କ ଏହି କାରନାମାକୁ କେହି ବି ହେଲେ ବିଶ୍ୱାସ କରି ପାରୁ ନାହାନ୍ତି। ୨୦୦୦ ମସିହା ଅଗଷ୍ଟରେ କୋଣ୍ଡ୍ରାସିନ୍‌କୁ ଏକ ମାନସିକ ରୋଗ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କୋଣ୍ଡ୍ରାସିନ୍‌ ହୋମିସାଇଡାଲ ସ୍କ୍ରେଜୋଫ୍ରିନିୟାଗ୍ରସ୍ତ ବୋଲି କହିଥିଲେ। ପରେ ହସ୍‌ପିଟାଲ୍‌ରୁ କୋଣ୍ଡ୍ରାସିନ୍‌କୁ ଛୁଟି ମିଳି ଯାଇଥିଲା।

ନକଲି କାଗଜ ପତ୍ରର ସାହାରା ନେଇ କୋଣ୍ଡ୍ରାସିନ୍‌ ଚେଲୟାବିନସ୍କରେ ସିଟି ହସ୍‌ପିଟାଲ୍‌ରେ ନଭେମ୍ବର ୧୧ରେ ବତୋର ପ୍ରାଇମେରି କେୟାର ଡାକ୍ତର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲା। ଏଠାରେ ସେ ଲୋକମାନଙ୍କୁ ମଦ ଓ ଧୂମପାନ ନ କରିବାକୁ ପ୍ରୋତ୍ସାହିତ କରୁଥିଲା। କେବଳ ଏତିକି ନୁହେଁ, ବ୍ୟାୟାମ ଦ୍ୱାରା ଶରୀରକୁ ମିଳୁଥିବା ଲାଭ ବିଷୟରେ ସେ ଲୋକମାନଙ୍କୁ ସଚେତନ ମଧ୍ୟ କରିଥାଏ।

ହେଲଥ୍‌ ଡିପାର୍ଟମେଣ୍ଟର ନାତାଲୟା ଗୋରଲୋଭାଙ୍କ କହିବାନୁସାରେ, ବୋରିସ ନିଜର କାମ କରିବାର ଅଭିଜ୍ଞତା ବିଷୟରେ କହି ପାରି ନ ଥିଲେ। କାରଣ ଏଠାରେ ଚାକିରି କରିବା ସମୟରେ ସେ ନିଜ ରେକର୍ଡ ହଜିଯାଇଥିବା ବିଷୟରେ କହିଥିଲା। ମନୋଚିକିତ୍ସକ କହିଥିଲେ କୋଣ୍ଡ୍ରାସିନ୍‌କୁ ସେ ଏକ ମେଡିକାଲ ଇଭେଣ୍ଟରେ ଦେଖିଥିଲେ ଓ ସେ ସେଠାରେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଡାକ୍ତର ହିଁ କୋଣ୍ଡ୍ରାସିନ୍‌ର ଚିକିତ୍ସା କରିଥିଲେ। ସେଠାରେ ସେ ଘଟଣା ବିଷୟରେ ସମସ୍ତଙ୍କୁ ଅବଗତ କରାଇ ଦେଇଥିଲେ। କୋଣ୍ଡ୍ରାସିନ୍‌ର ଏହି ଘଟଣାକୁ ନେଇ ତାଙ୍କ ମା’ ଓ ଭଉଣୀ କିଛି ବି ଜାଣି ନ ଥିଲେ। ଭାଇର ଶିକ୍ଷାଗତ ଯୋଗ୍ୟତା କେବଳ ହାଇସ୍କୁଲ ପାଠପଢ଼ା ବୋଲି କୋଣ୍ଡ୍ରାସିନ୍‌ର ଭଉଣୀ ଗଣମାଧ୍ୟମକୁ କହିଥିଲେ।

ସମ୍ବନ୍ଧିତ ଖବର