ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ !

ମେରଟ: ପ୍ରାୟ ଦେଢ ମାସ ତଳେ ଜଣେ ମହିଳାଙ୍କୁ ତିନି ଜଣ ଲୋକ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଦୁଷ୍କର୍ମ ପୀଡ଼ିତା ପୁଣି ଅଭିଯୋଗ ଆଣିଛନ୍ତି ଯେ ଗତ ଶନିବାର ରାତିରେ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କଭିତରୁ ଜଣେ ତାଙ୍କୁ ଏହି ମାମଲା ପ୍ରତ୍ୟାହାର କରି ବୁଝାମଣା କରିବା ଲାଗି ଚାପ ପକାଇଥିଲେ। ପୀଡିତା ବି ଧମକଚମକ ଦେଇଥିଲେ।ହେଲେ ଏଥିପାଇଁ ପୀଡ଼ିତା ମହିଳା ଓ ତାଙ୍କ ସ୍ୱାମୀ ରାଜି ନହେବାରୁ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିିଲେ ବୋଲି ପୀଡ଼ିତା ସାମଲି ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୁଲିସ ଜାଣିଶୁଣି ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ।

ସାମଲିର ପୁଲିସ ଅଧିକ୍ଷକ ଅଜୟ କୁମାର ଟ୍ଵିଟରରେ ଏ ସଂପର୍କରେ ଜଣାଇଛନ୍ତି ଯେ ଶନିବାର ରାତିରେ ଯେତେବେଳେ ମହିଳାଜଣକ କ୍ଷୀର ଗରମ କରୁଥିଲେ, ସେତେବେଳେ ତାଙ୍କ ଶାଢିରେ ନିଆଁ ଲାଗି ଯାଇଥିଲା। ଏହି ସଂପର୍କରେ ତାଙ୍କ ପାଖରେ ସ୍ୱାମୀଙ୍କଦ୍ୱାରା ପ୍ରଦତ୍ତ ଏକ ଭିଡିଓ ରେକର୍ଡିଂ ମଧ୍ୟ ଅଛି ବୋଲି ଏସ୍‌.ପି ଅଜୟ କୁମାର କହିଛନ୍ତି। ମହିଳାଙ୍କ ଗୋଡ,ଛାତିରେ ନିଆଁରେ ଜଳା ଦାଗ ରହିଛି ଓ ସେ ବିପଦମୁକ୍ତ ବୋଲି ଜଣାଯାଇଛି। ପୁଲିସ ଅଧିକ୍ଷକ ଅଜୟ କୁମାର କହିଛନ୍ତି ଗଣ ଦୁଷ୍କର୍ମ ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ରହିଛି। ଖୁବ୍‌ ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର