୫ କ୍ବିଣ୍ଟାଲ୍‌ କୋଇଲା ଜବତ, ଜଣେ ଗିରଫ

ବାଲିଅନ୍ତା: ବାଲିପାଟଣା ଫରେଷ୍ଟ ରେଞ୍ଜ ଟିମ ଆଜି ଭୋର ପ୍ରାୟ ୪ଟାରେ ଭୁବନପୁରସ୍ଥିତ ମହାତ୍ମା ସେତୁ ନିକଟରେ ଅତର୍କିତ ଚଢ଼ଉ କରି ୫ କୁଇଣ୍ଟାଲ୍‌ କାଠ କୋଇଲା ଜବତ କରିବା ସହିତ ଏଥିରେ ବ୍ୟବହୃତ ଟାଟା ଏସି ଗାଡ଼ିକୁ ମଧ୍ୟ ଜବତ କରିଛି। ଏଥିସହ ବେଆଇନ କୋଇଲା ଚାଲାଣ ମାମଲାରେ ସଂପୃକ୍ତ ବ୍ୟବସାୟୀ କାଳନ୍ଦୀ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କାଳନ୍ଦୀର ଘର କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅଞ୍ଚଳରେ। ସେ ନିୟମିତ ଭାବେ ବଇଁଚୁଆ ଓ ରଥିଜେମା ଅଞ୍ଚଳର କଂସାବାସନ କାରିଗରଙ୍କୁ ଏହା ଯୋଗାଇ ଆସୁଥିବା ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି। କାଳନ୍ଦୀଙ୍କ ବିରୋଧରେ ବନ ବିଭାଗର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତେବେ ଜାମିନ ନାମଂଜୁର ହୋଇଯିବାରୁ କାଳନ୍ଦୀଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। ଜବତ କୋଇଲାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ରେଞ୍ଜ ଅଫିସର ଜୟକୃଷ୍ଣ ଯଦୁମଣି ଦାସ ସୂଚନା ଦେଇଛନ୍ତି। ତେବେ ଯେଉଁ ବ୍ୟବସାୟୀମାନଙ୍କୁ କାଳନ୍ଦୀ ଏହି କୋଇଲା ଯୋଗାଇ ଆସୁଥିଲା ସେମାନଙ୍କୁ କିନ୍ତୁ ବନ ବିଭାଗ ଗିରଫ କରିପାରିନି।

ସମ୍ବନ୍ଧିତ ଖବର