ଗେଷ୍ଟ ହାଉସ୍‌ରୁ ଗଞ୍ଜେଇ ଜବତ

ଭୁବନେଶ୍ୱର : ଏକ ଗଞ୍ଜେଇ ଚୋରା ଚାଲାଣ ରୢାକେଟର ପର୍ଦ୍ଦାଫାସ କରିଛି କ୍ୟାପିଟାଲ ଥାନା ପୁଲିସ। ମାଷ୍ଟର କ୍ୟାଣ୍ଟିନ୍‌ରେ ଥିବା ଚନ୍ଦ୍ରକଳା ଗେଷ୍ଟ ହାଉସ୍‌ରୁ ୨୪ କେଜି ୬୫୫ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ବରର ବିଭିନ୍ନ ଦୋକାନରେ ଏହାକୁ ବିକିବା ପାଇଁ ସେମାନଙ୍କର ଯୋଜନା ରହିଥିଲା। ଏହି ଗେଷ୍ଟ ହାଉସ୍‌ର ରୁମ୍‌ ନମ୍ବର ୧୦୭ ଓ ୨୦୫ରେ ଏହି ବେପାର ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ୮୦ ହଜାର ହେବ ବୋଲି କ୍ୟାପିଟାଲ ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ଗଡ଼ନାୟକ କହିଛନ୍ତି। ପଚରାଉଚରା ପରେ ସେମାନଙ୍କଠାରୁ କେତେକ ତଥ୍ୟ ହାସଲ ହୋଇଛି। ଏହି ତଥ୍ୟକୁ ଆଧାରକରି ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ସମସ୍ତ ଅଭିଯୁକ୍ତ କନ୍ଧାମାଳ ଜିଲ୍ଲା ଗୋଛପଡ଼ା ଥାନା ଅଧୀନର ବୋଲି ଜଣାପଡ଼ିଛି। ସେମାନେ ହେଉଛନ୍ତି କେନ୍ଦୁଗଡ଼ର ଅଜୟ ଦିଗଲ, ମଧୁ ବଗତ୍ରୀ, ସୁଲଳିତ ବଗତ୍ରୀ, ଦୀନବନ୍ଧୁ ଦିଗଲ, ପୋକରିର ପଦର୍ଶନ ଦିଗଲ, ବଳଣ୍ଡାପଡ଼ାର ପ୍ରଫୁଲ୍ଲ ଦିଗଲ। ଏମାନେ ସେଠାରେ ଥିବା ବିଭିନ୍ନ ଚାଷୀଙ୍କ ଠାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି ବୋଲି ପୁଲିସ ଜାଣିପାରିଛି।

ସମ୍ବନ୍ଧିତ ଖବର