ଗଞ୍ଜେଇ ଚୋରା କାରବାର, ଭୁବନେଶ୍ୱରରୁ ଦିଲ୍ଲୀକୁ ଲମ୍ବିଛି ଚେର

ଭୁବନେଶ୍ୱର: ଯେଉଁ ଗଞ୍ଜେଇ କିଲୋ ଓଡ଼ିଶାରେ ମାତ୍ର ୨ରୁ ୩ ହଜାର ଟଙ୍କା, ତାହା ଦିଲ୍ଲୀ ଓ ଗୋଆ ମାର୍କେଟରେ ୩୦ରୁ ୩୫ହଜାର ଟଙ୍କା। ଥରୁଟିଏ ଓଡ଼ିଶାରୁ ଗଞ୍ଜେଇ ଦିଲ୍ଲୀ ମାର୍କେଟରେ ପହଞ୍ଚିବା ପରେ ତାହା ସୁନା ଭଳି ମୂଲ୍ୟବାନ ହୋଇ ଯାଉଛି। ଦିଲ୍ଲୀ ଭଳି ମେଟ୍ରୋ ସହରରେ ଗଞ୍ଜେଇର ଏକ ବିରାଟ ବଜାର ରହିଛି। ଯାହାର ଏବେ ଫାଇଦା ଉଠାଉଛନ୍ତି ଚୋରା ନିଶା ବ୍ୟବସାୟୀ। ପ୍ରତ୍ୟେକ ଦିନ କେଜି କେଜି ଗଞ୍ଜେଇ ଏବେ ଚୋରାରେ ଦିଲ୍ଲୀକୁ ଚାଲାଣ ହେଉଛି। ମାଧ୍ୟମ ପାଲଟିଛି ରାଜଧାନୀ, ଉତ୍କଳ, ପୁରୀ- ଆଜମେର ଭଳି ଏକ୍ସପ୍ରେସ। ବିଳମ୍ବିତ ରାତିରେ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଭର୍ତି କରାଯାଇ ଚାଲାଣ କରାଯାଉଛି। ଚାଲାଣରେ ସଂପୃକ୍ତ ରହୁଛନ୍ତି ସୁନ୍ଦରୀ ଯୁବତୀ। କିଛି ଜିଆର୍‌ପି ଓ ଆର୍‌ପିଏଫ୍‌ କର୍ମଚାରୀଙ୍କ ଅସାଧୁ ମେଣ୍ଟରେ ଏହି କାରବାର ଚାଲିଛି।ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲା ପାଲଟିଛି ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ। ରାୟଗଡ଼ା ବ୍ୟତୀତ ଫୁଲବାଣୀ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବୌଦ୍ଧରୁ ଚୋରା ଚାଲାଣ ହୋଇ ଭୁବନେଶ୍ୱର ଆସୁଛି ଏହି ମାରାତ୍ମକ ନିଶାଦ୍ରବ୍ୟ। ଏହି ସବୁ ଜିଲ୍ଲାରୁ ଆସୁଥିବା ରାତି ବସ୍‌ ଯୋଗେ ବ୍ୟବସାୟୀମାନେ ଏହି ଗଞ୍ଜେଇ ଆଣୁଛନ୍ତି। ଏଠାରୁ ଉପରୋକ୍ତ ଏକ୍ସପ୍ରେସ ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ହେଉଛି।

ଚୋରା ଚାଲାଣରେ ସଂପୃକ୍ତ ଅଛନ୍ତି ଯୁବତୀ
ରାଜଧାନୀ, ଉତ୍କଳ, ପୁରୀ- ଆଜମେର୍‌ ଟ୍ରେନ୍‌ରେ ହେଉଛି ଚାଲାଣ
ଜିଆର୍‌ପି ଓ ଆର୍‌ପିଏଫ୍‌ କର୍ମଚାରୀ ବି ସଂପୃକ୍ତ

ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜେଇ ବ୍ୟବସାୟୀମାନେ ସାଧାରଣ ବ୍ୟାଗ୍‌ ଭିତରେ ୧୦ରୁ୧୫କେଜି ଗଞ୍ଜେଇ ଭର୍ତ୍ତି କରିଥାନ୍ତି। ଅନ୍ୟ ଯାତ୍ରୀମାନେ ଯେପରି ଜାଣି ନପାରିବେ ସେ ନେଇ ଗଞ୍ଜେଇ ଥିବା ବ୍ୟାଗ୍‌ରେ ବିଭିନ୍ନ ପର୍‌ଫ୍ୟୁମ୍‌ ମାରିଥାନ୍ତି। ଯାହାଦ୍ୱାରା ଗଞ୍ଜେଇର ବାସ୍ନା ବାହାରକୁ ଜଣାପଡ଼ି ନଥାଏ। ଏହି ଚୋରା ଗଞ୍ଜେଇ କାରବାରରେ ଜିଆର୍‌ପି ଓ ଆର୍‌ପିଏଫ୍‌ କର୍ମଚାରୀ ସଂପୃକ୍ତ ରହୁଛନ୍ତି। ଫଳରେ ବର୍ଷବର୍ଷ ଧରି ଏଭଳି ର‍୍ୟାକେଟ୍‌ ସକ୍ରିୟ ଅଛନ୍ତି। ଅନ୍ୟପକ୍ଷରେ ଆର୍‌ପିଏଫ୍‌ର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏହି ର‍୍ୟାକେଟ୍‌ରେ ଯୁବତୀମାନେ ସାମିଲ୍‌ ହୋଇଥିବାରୁ ବ୍ୟାଗ୍‌ ଯାଞ୍ଚ କରିବାକୁ ଆମେ ସାହସ କରି ପାରୁନାହୁଁ। ଯେଉଁ ଯୁବତୀ ଭୁବନେଶ୍ୱର ଗଞ୍ଜେଇ ଧରି ଦିଲ୍ଲୀ ଯାଉଛି, ସେ ବାଟରେ ହାଓଡା ଷ୍ଟେସନ୍‌ରେ ଓହ୍ଲାଇ ପଡୁଛନ୍ତି। ଆଉ ଜଣେ ସେଠାରୁ ଗଞ୍ଜେଇ ଭର୍ତି ଟ୍ରଲି ବ୍ୟାଗ୍‌ ନେଇ ଆଉ ଏକ ଷ୍ଟେସନ୍‌କୁ ଯାଉଛି। ଦିଲ୍ଲୀ ଷ୍ଟେସନ୍‌ ହେବା ପୂର୍ବରୁ ଏକ ଛୋଟ ଷ୍ଟେସନ୍‌ ଦେଖି ସେମାନେ ଓହ୍ଲାଇ ପଡ଼ୁଛନ୍ତି। ଏପରି ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଗଞ୍ଜେଇ ଯାଉଛି। ରାଜଧାନୀ ଭଳି ଭିଭିଆଇପି ଏକ୍ସପ୍ରେସ୍‌ରେ ଯାଞ୍ଚ କରିବା ମଧ୍ୟ କଷ୍ଟକର ବ୍ୟାପାର। ଫଳରେ ସେମାନଙ୍କୁ ଧରିବା କାଠିକର ପାଠ ହେଉଛି ବୋଲି ଆର୍‌ପିଏଫ୍‌ର ଉକ୍ତ ଅଧିକାରୀ ଜଣକ କହିଛନ୍ତି। ଏ ସମ୍ପର୍କରେ ଜିଆର୍‌ପି ଥାନା ଇନ୍ସପେକ୍ଟର ଭରତ ସାହୁ କହିଛନ୍ତି, ଜିଆର୍‌ପିର କୌଣସି କର୍ମଚାରୀ ଏଭଳି ଚୋରା ଗଞ୍ଜେଇ ଚାଲାଣରେ ସଂପୃକ୍ତ ନାହାନ୍ତି। ତେବେ ଆଗାମୀ ଦିନରେ ଏସବୁ ଟ୍ରେନ୍‌ଗୁଡ଼ିକରେ ଜୋରଦାର ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର