ଚୋର ଗିରଫ, ଗ୍ୟାସ ସିଲିଣ୍ଡର୍‌ ଜବତ

ଭୁବନେଶ୍ୱର : ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ଆଜି ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କର କୋର୍ଟ ଚାଲାଣ କରିଛି। ପୁଲିସ ତା’ ନିକଟରୁ ଗୋଟିଏ ଗ୍ୟାସ୍‌ ସିଲିଣ୍ଡର୍‌ ଜବତ କରିଛି। ତା’ ନାଁ ଅମର ପ୍ରଧାନ (୧୯)। ଘର ଭୋଟପଡ଼ା ଅଞ୍ଚଳରେ।

ସୂଚନାନୁଯାୟୀ ଗତ ମାସ ୧୧ ତାରିଖରେ ପାଣ୍ଡରା ଅଞ୍ଚଳରେ ରହୁଥିବା ମନୋରଞ୍ଜନ ମିଶ୍ର କୌଣସି ଏକ ଜରୁରୀ କାମରେ ପରିବାର ସହ ବାହାରକୁ ଯାଇଥିଲେ। ଏହି ସୁଯୋଗରେ ଅମର ତାଙ୍କ ଘରୁ ସିଲିଣ୍ଡର୍‌ ଚୋରି କରିଥିଲା। ଏନେଇ ମନୋରଞ୍ଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଭୋର୍‌ ସମୟରେ ଅମରକୁ ଚକେଇସିଆଣି ଅଞ୍ଚଳରୁ ପୁଲିସ ଗିରଫ କରିଥିଲା।

ନିଶାସକ୍ତଙ୍କ ଉତ୍ପାତ, ୩ ଗିରଫ

ଭୁବନେଶ୍ୱର : ମଦ ପିଇ ସାଲିଆସାହି ମଇଳାଟାଙ୍କି ଅଞ୍ଚଳରେ ଉତ୍ପାତ କରୁଥିବା ୩ ନିଶାସକ୍ତ ଯୁବକଙ୍କୁ ଆଜି ପୁଲିସ ଗିରଫ କରିଛି। ସେମାନେ ହେଲେ ଜୟଦେବବିହାର ଅଞ୍ଚଳର ସୁବାସ ଚନ୍ଦ୍ର ବେହେରା (୩୬), ଅଜୟ କୁମାର ସାହୁ (୪୬) ଓ ପ୍ରହଲ୍ଲାଦ ସାହୁ (୪୭)। ପୁଲିସ ସୂଚନା ମୁତାବକ, ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ସୁବାସ, ଅଜୟ ଓ ପ୍ରହଲ୍ଲାଦ ପ୍ରଚୁର ମଦ ପିଇ ନିଶାସକ୍ତ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳରେ ଗାଳିଗୁଲଜ କରିଥିଲେ। ଏମିତିକି ନିଜ ନିଜ ଭିତରେ ମାର୍‌ପିଟ ହୋଇ ରକ୍ତାକ୍ତ ହୋଇଥିଲେ। ତିନି ମାତାଲଙ୍କ ଏଭଳି ଉତ୍ପାତ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ମାତାଲମାନଙ୍କ ଉପଦ୍ରବ ଥମିନଥିଲା। ସେମାନେ ପୁଲିସକୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ତେବେ ପୁଲିସ ବଡ଼ କଷ୍ଟରେ ତିନି ମାତାଲ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଚିକିତ୍ସା ପରେ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ଲୁଟେରା ଗିରଫ, ସୁନା ହାର ଜବତ

ଭୁବନେଶ୍ୱର : ମହିଳାଙ୍କଠାରୁ ଲୁଟ୍‌ପାଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଲୁଟେରାକୁ ଗିରଫ କରିଛି। ପୁଲିସ ତାଠାରୁ ୧୦ଗ୍ରାମ ଓଜନର ଏକ ସୁନା ହାର ଜବତ କରିଛି। ସେ ହେଲା ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଅଞ୍ଚଳର ଲିଟୁ ବାହାଲିଆ(୨୮)। ଏଠାରେ ୟୁନିଟ୍‌-୪ ବସ୍ତିରେ ରୁହେ। ଗତ ୩ ତାରିଖ ରାତିରେ ରାନୁ ଡିଣ୍ଡା ନାମକ ଜଣେ ମହିଳା ମାଷ୍ଟର୍‌କ୍ୟାଣ୍ଟିନରୁ ୟୁନିଟ୍‌-୩ ସ୍ଥିତ ଘରକୁ ଫେରୁଥିଲେ। ସେ ପ୍ରେସ୍‌ କ୍ଲବ ସମ୍ମୁଖରେ ଯାଉଥିବା ସମୟରେ ଲିଟୁ ତାଙ୍କୁ ପିଛା କରି ସୁନା ହାର ଝାମ୍ପି ନେଇଥିଲା। ଏନେଇ ରାନୁ ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ରାତିରେ ପୁଲିସ ଲିଟୁ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ମାଲିକ ଗିରଫ

ଭୁବନେଶ୍ୱର : ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଜମି ମାଲିକକୁ ଗିରଫ କରିଛି। ସେ ହେଲା ସୁନ୍ଦରପଦା ମହାବୀର ସାହି ଅଞ୍ଚଳର ଅକ୍ଷୟ କୁମାର ମହାରଣା(୩୯)। ଗତ ୨୦୧୭ ମିସହାରେ ଅକ୍ଷୟ ଯାଜପୁର ଜିଲ୍ଲା ଅଞ୍ଚଳର ବବିତା ସାହୁ ନାମକ ଜଣେ ମହିଳାଙ୍କୁ ସୁନ୍ଦରପଦା ମୌଜା ଏବରଙ୍ଗ ଅଞ୍ଚଳରେ ୫୬ ଡିସିମିଲ ଜମି ଦେବ ବୋଲି କହିଥିଲା। ଏଥିପାଇଁ ସେ ବବିତାଙ୍କଠାରୁ ୭ଲକ୍ଷ ୮୦ ହଜାର ଟଙ୍କା ନେଇଥିଲା। ତେବେ ଅକ୍ଷୟ ଟଙ୍କା ନେବା ପରେ ଆଉ ରେଜେଷ୍ଟ୍ରି କରି ନଥିଲା। ଜମି ରେଜେଷ୍ଟ୍ରି କରିବାରେ ବିଳମ୍ବ ହେବାରୁ ବବିତା ଅକ୍ଷୟଙ୍କୁ ଟଙ୍କା ମାଗିଥିଲେ। ହେଲେ ଅକ୍ଷୟ ଟଙ୍କା ଫେରା ନଇଥିଲା କି ଜମି ରେଜେଷ୍ଟ୍ରି କରି ନଥିଲା। ଏନେଇ ବବିତା ଥାନାରେ ଅଭିଯୋଗ କରିଥିଲେ। ଆଜି ତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର