ସ୍ମାର୍ଟ ସିଟିରେ ସ୍ମାର୍ଟ ଚୋରି, ଗ୍ୟାସ୍‌ ସିଲିଣ୍ଡର ଚୋର ଅଟକ

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ସ୍ମାର୍ଟ ତରିକାରେ ହେଉଥିଲା ଚୋରି। ସିଲିଣ୍ଡର ଗାଡ଼ି ପଛରେ ଲାଗୁଥିଲା ଗାଡ଼ି। ଆଉ ଡ୍ରାଇଭରର ଅଜାଣତରେ ଟେକି ନେଉଥିଲେ ଗୋଟିଏ ପରେ ଗୋଟିଏ ଗ୍ୟାସ୍‌ ସିଲିଣ୍ଡର। ଏମିତି ଏକ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଧୀନ ଗାନ୍ଧୀ ମାର୍କେଟରେ। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଚିତ୍ତରଞ୍ଜନ ସାହୁ ନାମକ ଜଣେ ଯୁବକକୁ ଅଟକ ରଖିଛି। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଦୁର୍ଯ୍ୟୋଧନ ସାହୁ ନାମକ ଜଣେ ବ୍ୟକ୍ତି ରାଜଧାନୀ ଏଜେନ୍ସିର ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି (ଓଡି ୩୩ ଜେ ୫୫୩୫) ଧରି ଗାନ୍ଧୀ ମାର୍କେଟ ଆସିଥିଲା। ଆଉ ଏହି ଗାଡ଼ିକୁ ପିଛା କରି ଅସୁଥିଲା ଏକ ଅଟୋ (ଓଡ଼ି ୦୨ ଏଡ଼ି ୨୫୪୧)। ଦୁର୍ଯ୍ୟୋଧନ ଗାଡ଼ିକୁ ପାର୍କିଂରେ ରଖିଥିବା ସମୟରେ ପିଛା କରି ଆସୁଥିବା ଅଟୋଟି ଠିକ୍‌ ତାଙ୍କ ଗାଡ଼ି ପଛକୁ ରଖିଥିଲା। ଦୁର୍ଯ୍ୟୋଧନଙ୍କ ଅନ୍ୟମନସ୍କତାର ଫାଇଦା ଉଠାଇ ଅଟୋ ଚାଳକ ଚିତ୍ତରଞ୍ଜନ ଗୋଟିଏ ପେରେ ଗୋଟିଏ ଟାଙ୍କି ନିଜ ଗାଡ଼ିରେ ଲଦି ଚାଲିଥିଲା। ଗାଡ଼ିରୁ କେହି ସିଲିଣ୍ଡର ନେଉଥିବା ଦେଖି ଦୁର୍ଯ୍ୟୋଧନ ଚିତ୍ତରଞ୍ଜନକୁ ଧରିପକାଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଚୋରି ଘଟଣା ବିଷୟରେ ଜାଣିବା ପରେ ସେଠାରେ ଥିବା ସ୍ଥାନୀୟ ଲୋକ ଏକାଠି ହୋଇ ଚିତ୍ତରଞ୍ଜନକୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଲରେ ପହଞ୍ଚି ସେଠାରୁ ଚିତ୍ତରଞ୍ଜନକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର