ନାଳରେ ବରଯାତ୍ରୀଙ୍କ କାର୍‌ ବୁଡ଼ି ୭ଜଣଙ୍କ ଜୀବନ ଗଲା, ବଞ୍ଚାଇବା ପରିବର୍ତ୍ତେ କାର୍‌ ଭିତରେ ଥିବା ୬ଲକ୍ଷ ଟଙ୍କାର ସୁନା ଚୋରି କଲେ ସ୍ଥାନୀୟ ଲୋକେ

ଗାଜିଆବାଦ୍‌ : ଦିଲ୍ଲୀର ଗାଜିଆବାଦ୍‌ରେ ଘଟିଛି ଏକ ଅମାନବିକ ଘଟଣା । ସୁନାର ଲୋଭରେ ଅନ୍ଧ ହୋଇ, ବୁଡ଼ି ଯାଉଥିବା ଲୋକଙ୍କୁ ଠିକ୍‌ ସମୟରେ ନ ବଞ୍ଚାଇବାରୁ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ଏହି ଘଟଣାଟି ଶୁକ୍ରବାର ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ବରର ପିତା ଦୁର୍ଗା ପ୍ରସାଦ ରସ୍ତୋଗି, ଦାଦା ଇନ୍ଦ୍ର ପ୍ରସାଦ ରସ୍ତୋଗି ଏବଂ ତାଙ୍କ ବଡ଼ ପୁଅର ପୂରା ପରିବାର ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି ।

Daily Post India

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ୮ଟା ସମୟରେ ଗାଜିଆବାଦ୍‌ର ଅକବର୍‌ପୁର୍‌ ବେହରାମପୁର୍‌ର ୨୧ ବର୍ଷୀୟ ରବି ରସ୍ତୋଗିଙ୍କ ବରଯାତ୍ରୀ ନୋଏଡ଼ା ଅଭିମୁଖେ ବାହାରିଥିଲା । ଟାଟା ସୁମୋ ଯୋଗେ ରବିଙ୍କ ପରିବାର ବାହାରିଥିବା ବେଳେ କିଛି ବାଟ ଯିବା ପରେ ତାଙ୍କ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇ ଏକ ନାଳ ଭିତରକୁ ଗଳି ପଡ଼ିଥିଲା । ଗାଡ଼ିଟି ନାଳରେ ଥିବା ପାଣିରେ ବୁଡ଼ୁଥିବାର ଦେଖି ପଛରେ ଆସୁଥିବା ଅନ୍ୟ ସଂପର୍କୀୟମାନେ ନାଳକୁ ଡ଼େଇଁ ଗାଡ଼ି ଭିତରେ ଥିବା ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସଂପର୍କୀୟମାନଙ୍କ ବ୍ୟତୀତ ସ୍ଥାନୀୟ ଲୋକମାନେ ମଧ୍ୟ ନାଳକୁ ଡ଼େଇଁଥିଲେ । କିନ୍ତୁ ବଞ୍ଚାଇବା ପରିବର୍ତ୍ତେ ସେମାନେ ଗାଡ଼ି ଭିତରେ ଥିବା ୬ଲକ୍ଷଟଙ୍କାର ସୁନା ଚୋରି କରିଥିଲେ । ସଂପର୍କୀୟଙ୍କ ଚେଷ୍ଟା ଫଳରେ କିଛି ଲୋକଙ୍କ ଜୀବନ ବଞ୍ଚି ପାରିଥିଲା । କିନ୍ତୁ ଏହି ଦୁର୍ଘଟଣାରେ ୭ଜଣଙ୍କ ଜୀବନର ଦୀପ ଲିଭି ଯାଇଥିଲା । ଯଦି ସ୍ଥାନୀୟ ଲୋକେ ସୁନା ଚୋରି କରିବା ପରିବର୍ତ୍ତେ ସେମାନଙ୍କୁ ବଞ୍ଚାଇବାର ପ୍ରୟାସ କରିଥାନ୍ତେ ତା’ହେଲେ ହୁଏତ ସେମାନେ ମୃତ୍ୟୁବରଣ କରି ନଥାନ୍ତେ ।

ସମ୍ବନ୍ଧିତ ଖବର