ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିବା ମହଙ୍ଗା ପଡ଼ିଲା ଯୁବତୀଙ୍କୁ; ଭଡ଼ାଟିଆ ହତ୍ୟାକାରୀଙ୍କୁ ଲଗାଇ କୋର୍ଟ ସମ୍ମୁଖରେ ଯୁବତୀଙ୍କୁ ହତ୍ୟା କଲା ବାପା
ରୋହତକ୍ (ହରିୟାଣା): ଉଚ୍ଚଜାତିର କନ୍ୟା ହୋଇ ଜନୈକ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିବା ଘଟଣାରେ ଜନୈକ ପିତା ଭଡ଼ାଟିଆ ଗୁଣ୍ଡା ଲଗାଇ ଗୁରୁବାର ସ୍ପଷ୍ଟ ଦିବାଲୋକରେ ରୋହତକ ଅଦାଲତ ସମ୍ମୁଖରେ ନିଜର ୧୮ ବର୍ଷ ବୟସ୍କା କନ୍ୟାକୁ ହତ୍ୟା କରିବା ଘଟଣା ଏବେ ସମଗ୍ର ହରିୟାଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସଂପୃକ୍ତା ଯୁବତୀଙ୍କୁ ଅଦାଲତକୁ ସଙ୍ଗରେ ନେଇ ଆସୁଥିବା ସବ୍ ଇନ୍ସପେକ୍ଟର ନରେନ୍ଦ୍ର କୁମାରଙ୍କର ମଧ୍ୟ ଭଡ଼ାଟିଆ ଗୁଣ୍ଡାଙ୍କର ଗୁଳିରେ ମୁତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅଭିଯୁକ୍ତ ରମେଶ ଉଚ୍ଚଜାତିର ହୋଇଥିବା ବେଳେ ତାର କୌଣସି ସନ୍ତାନସନ୍ତତି ନଥିଲେ। ସେଥିପାଇଁ ସେ ତା’ ନିଜ ଭିଣେଇଙ୍କ କନ୍ୟା ମମତାକୁ ୨୦୦୨ରେ ନିଜର ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବା ସହ ନିଜ ନିକଟକୁ ନେଇ ଆସିଥିଲା। ତେବେ, ମମତା ଜଣେ ଦଳିତ ଯୁବକକୁ ପ୍ରେମ କରିବା ସହ ଘରୁ ପଳାଇ ଯାଇ ଗତ ବର୍ଷ ଅଗଷ୍ଟ ମାସରେ ପଳାଇଯାଇ ସଂପୃକ୍ତ ଦଳିତ ଯୁବକକୁ ବିବାହ କରିଥିଲା। ଏଘଟଣା ଜାଣିବା ପରେ ରମେଶ ତା’ କନ୍ୟା ନାବାଳିକା ଥିବା ଦର୍ଶାଇ ନିବାଳିକା କନ୍ୟାକୁ ବିବାହ କରିବା ଅପରାଧରେ ଦଳିତ ଯୁବକଟିକୁ ଗିରଫ କରାଇବା ସହ ତାକୁ ଜେଲ ହାଜତକୁ ପଠାଇ ଦେଇଥିଲା। ଏହାପରେ ରମେଶ ମମତାକୁ ନିଜ ଘରକୁ ନେବାକୁ ଚାହିଁଥିବା ବେଳେ ମମତା କିନ୍ତୁ ରମେଶ ସହ ନିଜ ଘରକୁ ଫେରିବା ପାଇଁ ମନା କରି ଦେଇଥିଲା। ଫଳରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ମମତାକୁ ନେଇ କର୍ଣ୍ଣେଲର ନାରୀ ନିକେତନ ନାମକ ଏକ ମହିଳା ଆଶ୍ରୟ ଗୃହରେ ରଖାଇଥିଲା। ଏହି ଘଟଣାରେ ଆହୁରି ଉତ୍ୟକ୍ତ ହୋଇପଡ଼ିଥଲା ରମେଶ ଏବଂ ମମତାକୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା।
ଗତକାଲି ଏହି ମାମଲାର ଶୁଣାଣି କର୍ଣ୍ଣେଲର ଏକ ଅଦାଲତରେ ଥିବାରୁ ବରିଷ୍ଠ ପୁଲିସ୍ ସବ୍ ଇନ୍ସପେକ୍ଟର ନରେନ୍ଦ୍ର କୁମାର ଆଶ୍ରୟ ଗୃହରୁ ମମତାକୁ ସାଙ୍ଗରେ ଧରି ଅଦାଲତକୁ ଆସୁଥିଲେ। ଏହାକୁ ଏକ ସୁଯୋଗ ରୂପେ ନେଇ ଅଭିଯୁକ୍ତ ରମେଶ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ସୁପାରି ଦେଇ ମମତାକୁ କୋର୍ଟ ସମ୍ମୁଖରେ ଅଦାଲତକୁ ଯିବା ପୂର୍ବରୁ ଗୁଳିମାରି ହତ୍ୟା କରିଦେବାକୁ ନିର୍ଦ୍ଦେଶ ଦେଇଥିଲା। ଫଳରେ ଦୁଇଜଣ ଭଡ଼ାଟିଆ ଗୁଣ୍ଡା ଏକ ନମ୍ବର ବିହୀନ ମୋଟର ସାଇକେଲରେ ଆସି କୋର୍ଟ ସମ୍ମୁଖରେ ମମତାକୁ ହତ୍ୟା କରିବା ପାଇଁ ଅପେକ୍ଷା କରି ରହିଥିଲେ। ଏବଂ ସବ୍ ଇନ୍ସପେକ୍ଟର ନରେନ୍ଦ୍ର କୁମାର ସଙ୍ଗରେ ମମତାକୁ ଧରି ଯେମିତି ଆସି ଅଦାଲତ ସମ୍ମୁଖରେ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ହତ୍ୟାକାରୀମାନେ ମମତା ଉପରକୁ ଗୁଳି ଚଳାଇ ତାକୁ ହତ୍ୟା କରିଥିଲେ। ଏହି ଘଟଣାରେ ସବ୍ ଇନ୍ସପେକ୍ଟର ନରେନ୍ଦ୍ର କୁମାର ଯେତେବେଳେ ପାଲଟା ଗୁଳି ଚଳାଇ ହତ୍ୟକାରୀମାନଙ୍କୁ କାବୁ କରିବାକୁ ଉଦ୍ଦ୍ୟମ କଲେ, ସେତେବେଳେ ହତ୍ୟାକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏହି ଘଟଣା ପରେ ଏବେ ପୁଲିସ୍ ଅଭିଯୁକ୍ତ ରମେଶକୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଏବଂ ଭଡ଼ାଟିଆ ହତ୍ୟାକାରୀମାନଙ୍କୁ ଗିରଫ କରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି।