ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଘଟଣା : ହତ୍ୟାକାରୀ ପାଖରେ ପହଞ୍ଚି ପାରୁନି ପୁଲିସ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ସୋମବାର ବିଳମ୍ବିତ ରାତିରେ ଇନ୍‌ଫୋସିଟି ଥାନା ଅଧୀନ କାନନ ବିହାର ଫେଜ-୨ ଏମ୍‌ଆଇଜି ୫ରେ ଭଡ଼ାରେ ରହୁଥିବା ହିସନା ଦାସ ହତ୍ୟା ଘଟଣାକୁ ୨୪ ଘଣ୍ଟା ବିତି ଗଲାଣି। ପୁଲିସ ମୃତ ହସନାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖି ଜେରା ଚଳାଇଛି। କିନ୍ତୁ ଏଯାଏ ପୁଲିସ ହତ୍ୟାକାରୀ କିଏ ଜାଣିବାକୁ ସକ୍ଷମ ହୋଇ ପାରିନି। ଫଳରେ ଝିଅର ମୃତ୍ୟୁକୁ ନେଇ ଏବେ ହସିନାଙ୍କ ପରିବାର ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ଗତକାଲି ଏହା ଏକ ଆତ୍ମହତ୍ୟା ଘଟଣା ହୋଇ ପାରେ ବୋଲି ପୁଲିସ କହୁଥିବାବେଳେ ଆଜି ଏହା ଏକ ହତ୍ୟାକାଣ୍ଡ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଡିସିପିଙ୍କ ଭୋଇଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଯଦି ଯୁବତୀ ଜଣକ ତାଙ୍କ ବେକକୁ କାଟି ଯଦି ଆତ୍ମହତ୍ୟା କରିଛନ୍ତି, ତେବେ ବ୍ଲେଡ୍‌ କିମ୍ବା ଛୁରି ଏଯାଏ ପୁଲିସ ସେହି ଘରୁ ପାଇ ନାହିଁ। ସେହିପରି ମୃତ ହସିନା ଜଣେ ଫାର୍ମାସିଷ୍ଟ। ଯଦି ସେ ଆତ୍ମହତ୍ୟା କରିବାକୁ ଚାହିଁଥିବେ, ତେବେ ତଣ୍ଟିକୁ କାଟି ଆତ୍ମହତ୍ୟା କରିବା ଭଳି ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁ ରାସ୍ତା ବାଛିବା ଅପେକ୍ଷା ଅନେକ ରାସ୍ତାକୁ ଆପଣେଇ ପାରିଥାନ୍ତେ। ଏହି ଭଳି ଅନେକ କାରଣ ଏବେ ପୁଲିସ ମନକୁ ଛୁଇଁଛି। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇ ଗଲାଣି।

ଏଠାରେ ପ୍ରକାଶଥାଉକି, ଯୁବତୀ ଜଣକ ଗତ ୪ ବର୍ଷ ଧରି ସେହି ଘରେ ତାଙ୍କର ଜଣେ ସାଙ୍ଗଙ୍କ ସହିତ ଭଡ଼ାରେ ରହୁଥିଲେ। ତାଙ୍କ ସାଙ୍ଗ ଗାଁକୁ ଚାଲି ଯାଇଥିଲେ। ହାସିନା ଗତକାଲି ଏକୁଟିଆ ଥିଲେ। ରାତି ପ୍ରାୟ ୧୨ଟା ୧୫ବେଳେ ଘର ମାଲିକ ଇନ୍‌ଫୋସିଟି ଥାନା ଓ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ କି, ତାଙ୍କ ଘରେ ଭଡ଼ାରେ ରହୁଥିବା ଯୁବତୀଙ୍କ ଘର କବାଟ ଖୋଲା ଅଛି। ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଚଟାଣ ଗଦିରେ ପଡ଼ିଛି। ପୁଲିସ ଘର ଭିତରେ ଦେଖିବାକୁ ପାଇଥିଲା ଜିନିଷପତ୍ର ଏଣେତେଣେ ପଡ଼ିଛି। ଯୁବତୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ ୩ ଥର କଟାଯାଇଛି। ପାଟିରୁ ଫେଣ ବାହାରି ପଡ଼ିଛି। ପୁଲିସ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଖବର ପାଇ ଯୁବତୀଙ୍କ ବାପା ଭାରତ ଚରଣ ଦାସ ଭୁବନେଶ୍ୱରରେ ପହଞ୍ଚିଥିଲେ। ଝିଅକୁ ହତ୍ୟା କରାଯାଇଛି ବୋଲି ଭାରତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର