ଆସାମ: ଟ୍ରେନ୍‌ରୁ ଯୁବତୀଙ୍କ ଅର୍ଦ୍ଧ ଆବୃତ ଶବ ଉଦ୍ଧାର; ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ

ଗୌହାଟୀ: ମଙ୍ଗଳବାର ଦିନ ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ସିମାଲୁଗୁଡ଼ି ରେଳବାଇ ଷ୍ଟେସନ୍‌ ଠାରେ ଗୋଟାଏ ଟ୍ରେନ୍‌ରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଆବୃତ ଶବ ଉଦ୍ଧାର କରାଯାଇଛି।

ପୁଲିସ କହିବା କଥା, ଲହୁଲୁହାଣ ହୋଇ ପଡ଼ିଥିବା ଅର୍ଦ୍ଧ ଆବୃତ ଝିଅଟି ସହ ଚଳନ୍ତା ଟ୍ରେନ୍‌ରେ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ହେଉଛି।

ପୀଡ଼ିତା ଆସାମ କୃଷି ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡ଼ିଛି।

ଶିବନଗର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୁବୋଧ ସୋନୋଓ୍ଵାଲ୍‌ କହନ୍ତି: ସକାଳ ପ୍ରାୟ ୮ଟା ୫୦ ମିନିଟ ସମୟରେ ଝିଅର ମାଆ ତାକୁ ଶିବନଗର ଷ୍ଟେସନ୍‌ରେ ଟ୍ରେନ୍‌ ଚଢ଼ାଇ ଥିଲେ। ସକାଳ ପ୍ରାୟ ୯ଟା ୧୦ ମିନିଟ୍‌ ସମୟରେ ଟ୍ରେନ୍‌ ସିମାଲୁଗୁଡ଼ି ଷ୍ଟେସନ୍‌ରେ ପହଞ୍ଚିବା ପରେ ଶୌଚାଳୟରୁ ଝିଅର ଶବ ମିଳିଥିଲା।

ଗୋଲାହାଟ ଠାରେ ରହୁଥିବା ମାମୁଙ୍କ ପାଖକୁ ଯାଉଥିବା ସେ ଝିଅ ଫୁର୍କେଟିଙ୍ଗ୍‌ ଷ୍ଟେସନ୍‌ରେ ଓହ୍ଲାଇ ଥାଆନ୍ତା।

ଝିଅର ମାଆ ପୁଲିସକୁ କହିଛନ୍ତି: ମୋବାଇଲ୍‌ ଫୋନ୍‌ଟିଏ କିଣିବାକୁ ମୁଁ ତାକୁ ୧୦ ହଜାର ଟଙ୍କା ଦେଇଥିଲି। ଟଙ୍କା ପାଇଁ କେହି ମୋ ଝିଅକୁ ମାରି ଶୌଚାଳୟରେ ଫିଙ୍ଗି ଦେଇଛି।

ଶବ ବ୍ୟବଚ୍ଛେଦ ନ ହେବା ଯାଏ ହତ୍ୟା ପୂର୍ବରୁ ଝିଅଟି ସହ ଦୁଷ୍କର୍ମ କରାଯାଇଛି ବୋଲି କହିବା କଠିନ ପୁଲିସ କହୁଛି।

ସମ୍ବନ୍ଧିତ ଖବର