ଗୋଆରେ ୮ଜଣ ନାବାଳିକାଙ୍କୁ ବନ୍ଧକ ରଖି ତତଲା ଛୁରୀରେ ଚେଙ୍କ ଦେଉଥିଲେ ମହିଳା

ପଣଜୀ : ଗୋଆର ଭାସ୍କୋଡ଼ଗାମା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ପୁଲିସ ଏକ ଫ୍ଲାଟରୁ ୮ଜଣ ନାବାଳିକାଙ୍କୁ ବନ୍ଧକ ଥିବା ଅବସ୍ଥାରୁ ଉଦ୍ଧାର କରିଛି। ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ଥିବା ୬୫ ବର୍ଷିୟ ମହିଳା ଭେନସୁ ହବିବ୍‌ଙ୍କୁ ଗିରଫ କରିଛି। ମହିଳା ଜଣକ ଏହି ନାବାଳିକାମାନଙ୍କୁ ବନ୍ଧକ ରଖିବା ସହ ସେମାନଙ୍କୁ ତତଲା ଛୁରୀରେ ଚେଙ୍କା ଦେଉଥିବାର ଜଣାପଡ଼ିଛି।

ପୁଲିସର ସୂଚନା ଅନୁଯାୟୀ, ଗତକାଲି ଏକ ଫ୍ଲାଟରୁ ୮ଜଣ ନାବାଳିକାଙ୍କୁ ଏକ ଏନଜିଓ ସହାୟତାରେ ଉଦ୍ଧାର କରାଯାଇଛି। ରବିବାର ଦିନ ଚର୍ଚ୍ଚରେ ପ୍ରାର୍ଥନା କରିବାକୁ ଯାଇଥିବା ସମୟରେ ନାବାଳିକାଙ୍କ ଶରୀରରେ ବିଭିନ୍ନ ପ୍ରକାରର କ୍ଷତ ଦେଖାଯିବାରୁ ଘଟଣାଟି ସମ୍ନାକୁ ଆସିଥିଲା। ନାବାଳିକାମାନଙ୍କ ମଧ୍ୟରୁ ଜଣେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦାଙ୍କୁୁ ସମସ୍ତ ଘଟଣା କହିଥିଲେ ।ପରେ ସେହି ସ୍ଥାନୀୟ ବାସିନ୍ଦା ଜଣଙ୍କ ପୁଲିସକୁ ସୂଚନା ପ୍ରଦାନ କରିବା ସହ ଏକ ଏନଜିଓର ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପୁଲିସ ମହିଳାଙ୍କୁ ଗିରଫ କରିବା ସହ ଘଟଣାଟିର ତଦନ୍ତ କରୁଛି ।

Mid-Day

ନାବାଳିକାମାନେ ତାଙ୍କ ବୟାନରେ କହିଛନ୍ତି, ‘ହବିବ୍‌ ନାମକ ମହିଳା ୬-୧୨ ବର୍ଷ ମଧ୍ୟର ୮ ଜଣ ନାବାଳିକାଙ୍କୁ ଏକ ଫ୍ଲାଟରେ ବନ୍ଧକ ରଖିଥିଲେ । ସେ ତାଙ୍କର ଗୋଡ଼ ହାତ ବାନ୍ଧି ରଖିବା ସହ ତାଙ୍କୁ ପାଇପ୍‌ରେ ମାରୁଥିଲେ ଏବଂ ଗରମ ଛୁରୀରେ ଚେଙ୍କ ଦେଉଥିଲେ। ’ ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ଅଭିଯୁକ୍ତ ମହିଳା ହବିବ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଆଇପିସି ଧାରା ୩୬୩ ଏବଂ ୩୨୪ ଅନ୍ତଗର୍ତ ତାଙ୍କୁ ଗିରଫ କରାଯାଇଛି। ନାବାଳିକାଙ୍କ ଉଦ୍ଧାର କରାଯିବା ସହ ଏକ ସର୍ଟ ଷ୍ଟେ ହୋମକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର