ଶ୍ରୀଲିଙ୍ଗରାଜଙ୍କ ଜମି, ଜାଲିଆତି କରି ବିକ୍ରି ଘଟଣା, ବିଲ୍‌ଡର୍‌ ଗିରଫ

ଭୁବନେଶ୍ବର: ଜାଲିଆତି କରି ଶ୍ରୀଲିଙ୍ଗରାଜଙ୍କ ଜମି ବିକ୍ରି ଘଟଣାରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସମ୍ପଦ ବିଲ୍ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶଙ୍କୁ ଗିରଫ କରିଛି। ସେ ହେଲେ ବଡ଼ଗଡ଼ କେନାଲ୍‌ ରୋଡ୍ ଅଞ୍ଚଳର ପ୍ରଦୀପ କୁମାର ମିଶ୍ର(୪୯)। ଗିରଫ ପରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ବାସୁଆଘାଇ ମୌଜାରେ ଥିବା ଶ୍ରୀଲିଙ୍ଗରାଜ ଦେବ ବିଜେ ଜମି ସ୍ବର୍ଗତ ବୃନ୍ଦାବନ ମହାପାତ୍ର ଓ ଦୁର୍ଗାଚରଣ ମହାପାତ୍ରଙ୍କ ନାମରେ ଥିଲା। ତେବେ ର୍ସ୍ବଗତ ଦୁର୍ଗାଚରଣ ମହାପାତ୍ରଙ୍କ ପୋଷ୍ୟପୁତ୍ର କେଦାରନାଥ ମହାପାତ୍ର ଚଞ୍ଚକତା କରି ୨୦୦୨ ଓ ୨୦୦୪ ମସିହାରେ ଜମିକୁ ନିଜ ଦଖଲକୁ ନେଇଥିଲେ। ଆଉ ଜାଲିଆତି କରି ସମ୍ପଦ ବିଲ୍ଡର୍‌ର ପ୍ରଦୀପ ମିଶ୍ରଙ୍କୁ ବିକ୍ରି କରିଥିଲେ। ପ୍ରଦୀପ ଉକ୍ତ ଜମିକୁ ୭ଜଣ ବ୍ୟକ୍ତିଙ୍କୁ ବିକ୍ରି କରି କୋଟି କୋଟି ଟଙ୍କା ନେଇଥିଲେ। ଲିଙ୍ଗରାଜ ମନ୍ଦିର ବରିଷ୍ଠ ପ୍ରଶାସକ ଅବନୀକାନ୍ତ ମହାନ୍ତି ଘଟଣା ବିଷୟରେ ଜାଣିବା ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଗତ ୨୦୧୩ ମସିହାରେ ଇଓଡବ୍ଲ୍ୟୁ କେସ୍‌ ନଂ- ୨୪ରେ ଆଇପିସି ଦଫା ୪୬୮/୪୭୧/୧୨୦(ବି)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଗତ ୨୦୧୮ ମସିହା ଏପ୍ରିଲ୍‌ ୪ ତାରିଖରେ କେଦାରନାଥ ମହାପାତ୍ରକୁ ଇଓଡବ୍ଲ୍ୟୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର