ହଠାତ୍‌ ମାଟିତଳୁ ଶୁଭିଲା ମୃତ ଘୋଷିତ ନବଜାତ ଶିଶୁର କାନ୍ଦଣା, ପରେ ସାମ୍ନାକୁ ଆସିଲା ଡ଼ାକ୍ତରଙ୍କ କାର୍‌ନାମା

ପାଟନା : ବିହାରର ଗୋପାଲଗଞ୍ଜରେ ଥିବା ସଦର ଡ଼ାକ୍ତରଖାନାର ଡ଼ାକ୍ତରଙ୍କ ଅସଲ ଚେହେରା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ଜୀବିତ ଥିବା ନବଜାତ ଶିଶୁ ମୃତ ଘୋଷଣା କରି ଅଡ଼ୁଆରେ ପଡ଼ିଛନ୍ତି ଡ଼ାକ୍ତର । ଏ ନେଇ ନବଜାତ ଶିଶୁର ପରିବାର ଲୋକ ପୁଲିସରେ ଅଭିଯୋଗ କରିବା ସହ ଡ଼ାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସୂଚନା ମୁତାବକ, ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହେବା ପରେ ନୀରଜ ପ୍ରସାଦ ନିଜ ଗର୍ଭବତୀ ପତ୍ନୀ ଦିବ୍ୟା ଦେବୀଙ୍କୁ ନେଇ ଗୋପାଲଗଞ୍ଜରେ ଥିବା ସଦର ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତର ଦିବ୍ୟା ଦେବୀଙ୍କ ଚିକିତ୍ସା କରିବା ସହ ପ୍ରସବ ମଧ୍ୟ କରାଇଥିଲେ । ନବଜାତ ଶିଶୁ ଜନ୍ମ ହେବା ପରେ ତା’ର ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି ବୋଲି କହି ଡ଼ାକ୍ତର ତା’ର ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ବୁଧବାର ସକାଳେ ଚିକିତ୍ସା ଦାୟିତ୍ୱରେ ଥିବା ଡ଼ାକ୍ତର କୃଷ୍ଣା କୁମାର ନବଜାତକୁ ମୃତ ଘୋଷଣା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ । ପରିବାର ଲୋକେ ମୃତ ଶିଶୁକୁ ନେଇ ମାଟି ତଳେ ଅଧା ପୋତି ସାରିଥିବା ବେଳେ ହଠାତ୍‌ ଶିଶୁଟି କାନ୍ଦିବାକୁ ଲାଗିଥିଲା ।

PxHere

ଶିଶୁର କାନ୍ଦଣା ଶୁଣି ପରିବାର ଲୋକେ ଶିଶୁକୁ ମାଟିରୁ କାଢ଼ି ପୁଣି ଥରେ ଡ଼ାକ୍ତରଖାନା ନେବା ସହ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ଚିକିତ୍ସା କରିବାରେ ବିଳମ୍ବ ହୋଇ ଯାଇଥିବାରୁ ଶିଶୁଟି ଡ଼ାକ୍ତରଖାନାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ଏହି ଘଟଣା ପରେ ପରିବାର ଲୋକେ ରାଗରେ ଡ଼ାକ୍ତରଙ୍କୁ ଦାୟୀ କରି ଡ଼ାକ୍ତରଖାନା ଆଗରେ ହଙ୍ଗାମା କରିଥିଲେ । ଏ ନେଇ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର