ନୂଆଦିଲ୍ଲୀ: ବହରାଇଚର ଜଣେ ୨୬ବର୍ଷୀୟ ଅବିବାହିତ ଗର୍ଭବତୀ ମହିଳା ୟୁଟୁବ୍ରୁ ପ୍ରସବର ଭିଡିଓ ଦେଖି ନିଜର ଶିଶୁକୁ ଜନ୍ମ ଦେବାକୁ ଉଦ୍ୟମ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଏଭଳି ଏକ ଘଟଣା ରବିବାର ବିଲନ୍ଦପୁର ଅଞ୍ଚଳରେ ରବି ଉପାଧ୍ୟାୟଙ୍କ ଘରେ ଘଟିଛି। ଚାରି ଦିନ ପୂର୍ବରୁ ଉପାଧ୍ୟାୟଙ୍କ ଘରକୁ ଏହି ଯୁବତୀ ଭଡ଼ାରେ ରହିବାକୁ ଆସିଥିଲେ। କିଛିଦିନ ପରେ ତାଙ୍କ ମା’ ଆସି ପାଖରେ ରହିବେ ବୋଲି ସେ ଘର ମାଲିକଙ୍କୁ କହିଥିଲେ। ଏହାପରେ ଘରମାଲିକ ଯୁବତୀଙ୍କ ଆଧାରକାର୍ଡ ଦେଖି ତାଙ୍କୁ ଘର ଭଡ଼ା ଦେଇଥିଲେ। ରବିବାର ରାତିରେ ଉପାଧ୍ୟାୟ ମହିଳାଙ୍କ କବାଟ ଅନେକ ସମୟ ବନ୍ଦ ରହିବା ଦେଖିବା ପରେ ସେ ଡାକ ପକାଇଥିଲେ। କେହି ନଶୁଣିବା ପରେ ସେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ସେଠାରେ ମହିଳା ଓ ନବଜାତ ଶିଶୁର ରକ୍ତଜୁଡୁବୁଡୁ ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ତାଙ୍କ ନବଜାତ ଶିଶୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ପାଖରୁ ପୁଲିସ ଏକ ମୋବାଇଲ ଫୋନ୍ ଜବତ କରିଥିଲା। ସେଥିରେ ଯେଉଁ ୟୁଟୁବ୍ର ସାଇଟ୍ ଖୋଲା ଯାଇଥିଲା। ସେଥିରେ ପ୍ରସବ ଶୈଳୀର ଲିଙ୍କ୍ଗୁଡ଼ିକ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଏହାକୁ ଆଧାର କରି ଜାଣିବାକୁ ପାଇଥିଲା କି, ୟୁଟୁବରୁ ମହିଳା ଭିଡିଓ ଦେଖି ନିଜର ପ୍ରସବ କରାଇଥିଲେ, ଏହି ସମୟରେ ଅତ୍ୟଧିକ ରକ୍ତସ୍ରାବ ହେତୁ ମହିଳା ମୃତ୍ୟୁ ହୋଇଥିଲା। ଏଥିସହିତ ତାଙ୍କ ନବଜାତ ଶିଶୁର ବି ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ପୁଲିସ ଏନେଇ ମହିଳାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକଲଜ୍ଜାକୁ ଭୟ କରି କାହାରି ନାମରେ ମାମଲା ରୁଜୁ କରିବାକୁ ପୁଲିସକୁ ମନା କରିଥିଲେ।