ଲାଞ୍ଚ ନେଉଥିବା ଅଭିଯୋଗରେ ସରକାରୀ ଅଧିକାରୀଙ୍କ ସମେତ ୨ ଗିରଫ

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ମଙ୍ଗଳବାର ଦିଲ୍ଲୀ ସରକାରଙ୍କର ଗୁଡ୍‌ ଆଣ୍ଡ୍‌ ସର୍ଭିସ୍‌ ଟ୍ୟାକ୍ସ (ଜିଏସ୍‌ଟି)ର ଆସିଷ୍ଟାଣ୍ଟ୍‌ କମିସନରଙ୍କ ସମେତ ୨ ଜଣଙ୍କୁ ୬ ଲକ୍ଷ ଟଙ୍କା ଲାଞ୍ଚ୍‌ ନେଉଥିବା ଅଭିଯୋଗରେ ଗିରଫ କରିଛି। ସିବିଆଇ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ ହୋଇଛି ବୋଲି ସୂଚନା ରହିଛି।

ସିବିଆଇ ଅଧିକାରୀଙ୍କ କହିବା ମୁତାବକ, ସହରର କରୋଲ ବାଘ ଅଞ୍ଚଳର ଏକ ବେସରକାରୀ କମ୍ପାନିରେ ଚଢ଼ଉ କାର୍ଯ୍ୟ କରୁଥିବା ବେଳେ ଜିଏସ୍‌ଟିର ଆସିଷ୍ଟାଣ୍ଟ୍‌ କମିସନର ଜଣଙ୍କୁ ୬ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଉଭୟ ଲାଞ୍ଚ ଦାତା ଏବଂ ଗ୍ରହିତାଙ୍କୁ ସିବିଆଇ ଧରିବା ପରେ ଗିରଫ କରିଥିବା ସୂଚନା ରହିଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କାଳରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ସହ ୨.୭୫ ଲକ୍ଷ ଟଙ୍କା ଜିଏସ୍‌ଟିର ଆସିଷ୍ଟାଣ୍ଟ୍‌ କମିସନରଙ୍କ ବାସଭବନରୁ ଜବତ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଘରୁ ୨୦ ଲକ୍ଷ ଟଙ୍କା ମିଳିଥିଲା।

ସମ୍ବନ୍ଧିତ ଖବର