ନାବାଳିକା ନାତୁଣୀଙ୍କୁ ଦୁଷ୍କର୍ମ, ଅଢ଼େଇ ବର୍ଷରେ ଶୁଣାଣି ଶେଷ : ଅଜାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ୱର : ରାଜଧାନୀରେ ନାବାଳିକା ନାତୁଣୀଙ୍କୁ ଜଣେ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିବା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଅଜାକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଦାମୋଦର ରଥ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ଶହ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବେ। ମାତ୍ର ଅଢ଼େଇ ବର୍ଷ ମଧ୍ୟରେ କୋର୍ଟଙ୍କ ଏଭଳି ରାୟ ଆଜି ଚର୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ଅଜା ହେଲା ଭରତ ସାହୁ। ଘର ଖଣ୍ଡଗିରି ଥାନା ଅଧୀନ ଭରତପୁର ବସ୍ତିରେ। ଅଭିଯୁକ୍ତ ଭରତ ୨୦୧୫ ଡିସେମ୍ବର ମାସ ୯ ତାରିଖରେ ସେହି ବସ୍ତିର ଜଣେ ସମ୍ପର୍କୀୟ ନାବାଳିକାକୁ ଚକ୍‌ଲେଟ୍‌ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲା। ଏ ନେଇ ପ୍ରଥମେ ଖଣ୍ଡଗିରି ଓ ପରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ମହିଳା ଥାନା ପୁଲିସ ଭରତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ ନେଇ ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆରମ୍ଭ ହୋଇଥିଲା। ୮ ଜଣଙ୍କ ସାକ୍ଷ୍ୟ ଓ ତଥ୍ୟ, ପ୍ରମାଣକୁ ଆଧାର କରି ବିଚାରପତି ଉପୋରକ୍ତ ରାୟ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପିପି ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ ପ୍ରିୟଦର୍ଶୀ।

ସମ୍ବନ୍ଧିତ ଖବର