ଡ୍ରଗ୍ସ ମାଫିଆଙ୍କୁ ସୂଚନା ପ୍ରଦାନ କରି ଗିରଫ ହେଲେ ହାବିଲଦାର

ଭୁବନେଶ୍ୱର/ବାଲେଶ୍ୱର: କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ସହ ସଂପର୍କ ରଖିଥିବା ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭିତରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ କୁମାର ସାହୁଙ୍କୁ ପୁଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ବାଂଲାଦେଶରୁ ବ୍ରାଉନ୍ ସୁଗାର ଆଣି ସାରା ରାଜ୍ୟରେ କାରବାର କରୁଥିବା ମାଫିଆଙ୍କୁ ହାବିଲଦାର ରଂଜନ ସାହୁ ସହଯୋଗ କରିଥିଲେ ବୋଲି ଏସ୍‌ଟିଏଫ କହିଛି। ରଂଜନଙ୍କ ମୋବାଇଲ ଟ୍ରାକିଂ କରି ଅପରାଧିକ ଘଟଣା ନେଇ ପୁଲିସ ସ୍ପଷ୍ଟ ହେବା ପରେ ଅନେକ ତଥ୍ୟ ପଦାକୁ ଆସିଛି।

ଏସ୍‌ଟିଏଫ୍‌ କହିଛି, ଦୀର୍ଘ ୨ ବର୍ଷ ଧରି ରଂଜନ ପୁଲିସ ବିରୋଧରେ କାମ କରୁଥିଲେ। ନିଜେ ପୁଲିସ ବିଭାଗରେ କାମ କରି ମଧ୍ୟ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ଭୁଲି ଯାଇ ଡ୍ରଗ୍ସ ମାଫିଆଙ୍କୁ ସହଯୋଗ କରୁଥିଲେ। ଡ୍ରଗ୍ସ ମାଫିଆଙ୍କୁ ଧରିବା ପାଇଁ ପୁଲିସ ଯେତେବେଳେ ଯୋଜନା କରୁଥିଲା, ଏହାର କିଛି ସମୟ ପରେ ରଂଜନ ଲୁଚି କରି ମାଫିଆମାନଙ୍କୁ ସତର୍କ କରାଇ ଦେଉଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ପୁଲିସର ସମସ୍ତ ଗତିବିଧିକୁ ରଂଜନ ମାଫିଆମାନଙ୍କୁ ସେୟାର କରୁଥିଲେ। ଏସ୍‌ଟିଏଫ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ଡ୍ରଗ୍ସ ମାଫିଆ ସେକ୍‌ ରାଜା ବାଲାଂଦେଶରୁ ଧଳାଜହର ଆଣି ସାରା ରାଜ୍ୟରେ କାରବାର କରୁଥିଲା। ସହଯୋଗୀଙ୍କୁ ପୁଳାପୁଳା ଟଙ୍କା ଦେଇ ନିଶାବେପାରୀଙ୍କ ପାଖରେ ପହଁଚାଉଥିଲା ଧଳାଜହର। ଆଉ ପୁଲିସକୁ ଚକମା ଦେଇ ଏ ସହରରୁ ସେ ସହରକୁ ବୁଲୁଥିଲା ରାଜା। ରାଜାକୁ ଗିରଫ କରିବା ପରେ ନିଶା ନେଟୱାର୍କର ଗୁମର ଧିରେ ଧିରେ ଖୋଲୁଛି। ପୁଲିସର ମୋଷ୍ଟୱାଂଟେଡ ଏହି କୁଖ୍ୟାତ ନିଶା ବେପାରୀକୁ ଖଣ୍ଡଗିରି ଥାନା ଅନ୍ତର୍ଗତ ପଦ୍ମପୁରରୁ ଗିରଫ କରିଥିଲା ଏସଟିଏଫ୍‌। ଗିରଫ ପରେ ତା’ଠାରୁ ୧ଲକ୍ଷ ଟଙ୍କା, ଗୁଳି ଭର୍ତ୍ତି ପିସ୍ତଲ, ୧୩୦ ଗ୍ରାମ ଧଳାଜହର, ୬ଟି ମୋବାଇଲ ଫୋନ୍‌ ପୁଲିସ ଜବତ କରିଥିଲା।

ସମ୍ବନ୍ଧିତ ଖବର