ବିହାରରେ ପୁଣି ଏକ ଆଶ୍ରୟ କେନ୍ଦ୍ରରେ ବାଳିକାଙ୍କୁ ଯୌନ ଶୋଷଣ: ହାତଗୋଡ ମାଲିସ କରାଇବା ଆଳରେ ଅଶ୍ଳୀଳ କାର୍ଯ୍ୟ କରାଉଥିଲେ ଅଧିକାରୀ

ହାଜିପୁର: ବିହାରର ସର୍ଟଷ୍ଟେହୋମ୍‌ ବା ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଆଶ୍ରୟ କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀଙ୍କ ଉପରେ ଚାଲିଥିବା ଯୌନ ନିର୍ଯାତନା ଘଟଣା ଗୋଟିଏ ପରେ ଗୋଟିଏ ବାହାରକୁ ଆସୁଛି।  ହାଜିପୁରରେ ଥିବା ଏକ ସର୍ଟଷ୍ଟେହୋମ୍‌ରେ ରହୁଥିବା ନାବାଳିକା ଓ ଯୁବତୀଙ୍କୁ ଜିଲ୍ଲା ପ୍ରୋବେସନ୍‌ ଅଫିସର ଯୌନ ଶୋଷଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ବହୁଦିନ ଧରି ଯୌନ ନିର୍ଯାତନା ସହିବା ପରେ ଶେଷରେ ମୁହଁ ଖୋଲିଛନ୍ତି ଆଶ୍ରୟ କେନ୍ଦ୍ରର ଅନ୍ତେବାସୀ।

ମିଳିଥିବା ସୂଚନା ଅନୁସାରେ, ହାଜିପୁର ଜିଲ୍ଲା ପ୍ରୋବେସନ୍‌ ଅଫିସର ମନମୋହନ ପ୍ରସାଦ ସିଂ ଏହି ଆଶ୍ରୟ କେନ୍ଦ୍ରକୁ ପରିଦର୍ଶନରେ ଆସି ନିୟମିତ ଅନ୍ତେବାସୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଯଦି କୌଣସି ବାଳିକା ତାଙ୍କ କଥାର ବିରୋଧ କରେ ତେବେ ତାକୁ ମାଡ ମାରି ଚୁପ୍‌ କରାଇ ଦିଆଯାଏ ବୋଲି ଜଣାପଡ଼ିଛି।

ଅନ୍ତେବାସୀଙ୍କ ଅନୁସାରେ, ମନମୋହନ ପ୍ରସାଦ ସିଂ ପରିଦର୍ଶନ ଆଳରେ ସେମାନଙ୍କ କୋଠରୀକୁ ଏକା ଆସିଥାଆନ୍ତି। ଅନ୍ୟ କର୍ମଚାରୀଙ୍କୁ ଆସିବାକୁ ବାରଣ କରାଯାଇଥାଏ। ତା’ପରେ ସେ ଅନ୍ତେବାସୀଙ୍କୁ ଗୋଡହାତ ମାଲି କରିବା ପାଇଁ କହିଥାଆନ୍ତି। ଜଣେ ପୀଡିତା କହିଛନ୍ତି ଯେ ସେ ଏଭଳି କାର୍ଯ୍ୟର ବିରୋଧ କରିବାରୁ ତାଙ୍କ ପୋଷାକ ଫାଡି ଦିଆଯାଇଥିଲା। କେବଳ ସେତିକି ନୁହେଁ, ଆଉ ଜଣେ ପୀଡିତା ସିଂହଙ୍କୁ ବିରୋଧ କରି ମାଡ ଖାଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଯାଦବ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର