ହରିୟାଣା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଦୋଷୀ ରାଜସ୍ଥାନରେ କାର୍ଯ୍ୟରତ ଜଣେ ସେନା କର୍ମଚାରୀ

ଚଣ୍ଡିଗଡ଼: ହରିୟାଣା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଦୋଷୀ ଚିହ୍ନଟ ହୋଇଥିବା କଥା ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ର (ସିଟ୍‌) ନେତୃତ୍ୱ ନେଇଥିବା ମେଓ୍ଵାଟ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନାଜ୍‌ନୀନ୍‌ ଭାସିନ୍‌ କହିଛନ୍ତି। ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଜଣେ ୧୯ ବର୍ଷୀୟ ଯୁବତୀ ସରବ୍ୟ ହୋଇଥିବା ଗଣଦୁଷ୍କର୍ମ ମାମଲାର ତଦନ୍ତ କରାଯିବା ପାଇଁ ଶୁକ୍ରବାର ଦିନ ଏକ ‘ସିଟ୍‌’ ଗଠିତ ହୋଇଛି।

ହରିୟାଣା ଡିଜିପି ବିଏସ୍‌ ସାନ୍ଧୁଙ୍କ କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ସେନା କର୍ମଚାରୀ ଏବଂ ସେ ରାଜସ୍ଥାନରେ ଅବସ୍ଥାପିତ। ତାଙ୍କ ବିରୋଧରେ ଗିରଫ ପର୍‌ଓ୍ଵାନା ଆଣିବାକୁ ଆମେ ଉଦ୍ୟମ କରୁଛୁ। ଅନ୍ୟ ଦୁଇ ଦୋଷୀ ଖୁବ୍‌ ଶୀଘ୍ର ଧରାପଡ଼ିବେ।

ଶନିବାର ଦିନ ନାଜ୍‌ନୀନ୍‌ ଭାସିନ୍‌ ରେଓ୍ଵାରି ଠାରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ସେ ଯୁବତୀଙ୍କୁ ଭେଟି କହିଲେ, ଆଜି ମୁଁ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ମୁଖ୍ୟ ଦୋଷୀ ଚିହ୍ନଟ ହୋଇଛି। ଏହି ମାମଲାର ସବୁ ପଟରୁ ଆମେ ତଦନ୍ତ କରୁଛୁ।

ଏହି ଗଣଦୁଷ୍କର୍ମ ମାମଲାର ଅଗ୍ରଗତି ସଂକ୍ରାନ୍ତରେ ତଥ୍ୟ ମାଗି ଜାତୀୟ ମହିଳା କମିସନ୍‌ ହରିୟାଣା ଡିଜିପିଙ୍କୁ ଚିଠି ଲେଖିଛନ୍ତି।

ତିନି ଦୋଷୀଙ୍କୁ ଧରିବାକୁ ଶୁକ୍ରବାର ଦିନ ରେଓ୍ଵାରି, ମହେନ୍ଦ୍ରଗଡ଼ ଜିଲ୍ଲା ଏବଂ ନିକଟବର୍ତ୍ତୀ ଅଞ୍ଚଳ ସବୁରେ ଚଢ଼ଉ ଚାଲିଥିଲା ବୋଲି ପୁଲିସ କହିଛି।
ହରିୟାଣା ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ପ୍ରତିଭା ସୁମନ ମଧ୍ୟ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି।

ସମ୍ବନ୍ଧିତ ଖବର