ହରିଆଣା ଲଜ୍ଜା: ଥାନା ପରିସରରେ ମହିଳା ସବ୍‌-ଇନ୍‌ସ୍ପେକ୍ଟରଙ୍କୁ ଗଣଦୁଷ୍କର୍ମ

ଚଣ୍ଡିଗଡ଼: ହରିଆଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରାଜ୍ୟର ପଲଓ୍ଵାଲା ପୁଲିସ୍‌ ଷ୍ଟେସନ୍‌ ପରିସର ମଧ୍ୟରେ ରବିବାର ଜଣେ ମହିଳା ସବ୍‌-ଇନ୍‌ସ୍ପେକ୍ଟରଙ୍କର ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସଂପୃକ୍ତ ଥିବା ସନ୍ଦେହ କରାଯାଇ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଯାବତ୍‌ କେହି ହେଲେ ଗିରଫ ହୋଇନାହାନ୍ତି।

ହରିଆଣାରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ଏହି ଘଟଣାରୁ ପୁଣିଥରେ ସାବ୍ୟସ୍ତ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବର୍ଷ ଆରମ୍ଭରୁ ନେଇ ମେ ୩୧ ତାରିଖ ମଧ୍ୟରେ ରାଜ୍ୟରେ ସମୁଦାୟ ୭୦ଟି ଗଣଦୁଷ୍କର୍ମ ମାମଲା ରୁଜୁ ହୋଇସାରିଛି।

୨୦୧୭ ମସିହାରେ ହରିଆଣା ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ରେକର୍ଡ ମୁତାବକ ରାଜ୍ୟରେ ୧,୨୩୮ଟି ଦୁଷ୍କର୍ମ ହୋଇଥିବା ବେଳେ, ୧୪୧ ଦୁଷ୍କର୍ମ ଉଦ୍ୟମ, ୨,୦୩୯ ଅସଦାଚାରଣ, ୨,୪୩୨ ଅପହରଣ ଏବଂ ୩,୦୧୦ ଯୌତୁକଜନୀତ ନିର୍ଯାତନା ମାମଲା ରହିଛି। ଜାଣିବାକୁ ମିଳିଛି ଯେ ହରିଆଣାରେ ପ୍ରାୟ ଦିନକୁ ୪ଟି ଦୁଷ୍କର୍ମ ଘଟୁଥିବା ରିପୋର୍ଟ ରହିଛି। ହରିଆଣା ଦିନକୁ ଦିନ ମହିଳାମାନଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ ହୋଇପଡୁଥିବା ସ୍ପଷ୍ଟ ହେଉଛି।

ସମ୍ବନ୍ଧିତ ଖବର