ହ୍ଵାଟ୍‌ସଆପ୍‌ରେ କଥା ହେବା ପରେ ଯୁବକଙ୍କୁ ଅପହରଣ କରି ଏକ କୋଟି ଟଙ୍କା ମାଗିଲେ ଯୁବତୀ, ତା’ ପରେ…

ଫତେହାବାଦ୍‌: ହରିୟାଣାର ଫତେହାବାଦ୍‌ରେ ଜଣେ ଯୁବକଙ୍କୁ ଯୁବତୀ ଅପହରଣ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅପହରଣ କରିଥିବା ଅଭିଯୁକ୍ତ କୌଣସି ପେଶାଦାର ଅପରାଧି ହୋଇ ନଥିବା ବେଳେ ଟଙ୍କା ପାଇଁ ଏପରି କରିଥିବା ଜଣା ପଡ଼ିଛି । ଭଟିଣ୍ଡାରେ ରହୁଥିବା ଜଣେ ଯୁବତୀ ଟଙ୍କା ପାଇଁ ହ୍ଵାଟ୍‌ସଆପ୍‌ରେ ଜଣେ ଯୁବକଙ୍କ ସହ କଥା ହେବା ପରେ ନିଜର ଦୁଇ ସାଥୀ ସହ ମିଶି ତାଙ୍କୁ ଅପହରଣ କରିଥିଲେ । କିନ୍ତୁ ନିଜ ଲକ୍ଷରେ ସଫଳ ହୋଇ ପାରି ନଥିଲେ । ଠିକ୍‌ ସମୟରେ ସିର୍‌ସା ପୁଲିସ ଅଭିଯୋଗ ପାଇ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଅର୍ପଣ କୌର ନାମକ ଜନୈକା ଯୁବତୀ ଫତେହାବାଦ୍‌ରେ ରହୁଥିବା ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ଦୀକ୍ଷାନ୍ତଙ୍କ ସହ ହ୍ଵାଟ୍‌ସଆପ୍‌ ଜରିଆରେ ବନ୍ଧୁତା ସ୍ଥାପନ କରିଥିଲେ । କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବାରୁ ଦେଖା କରିବା ପାଇଁ ତାଙ୍କୁ ଡ଼ାକିଥିଲେ ଅର୍ପଣ । ଅନ୍ୟ ପକ୍ଷରେ ଦେଖା କରିବା ସମୟରେ ଅପହରଣର ଯୋଜନା ବନାଇଥିଲେ ଅର୍ପଣ ଏବଂ ଫତେହାବାଦ୍‌ରେ ରହୁଥିବା ତାଙ୍କର ଦୁଇ ଜଣ ସାଙ୍ଗ । ଏହି ଅପହରଣ ପାଇଁ ଅର୍ପଣ ପଞ୍ଜାବରୁ ମଧ୍ୟ ଦୁଇ ଜଣଙ୍କୁ ଡ଼ାକିଥିଲେ ବୋଲି ଜଣା ପଡ଼ିଛି ।

Moneyweb

ଯୋଜନା ମୁତାବକ, ଅର୍ପଣ ଦୀକ୍ଷାନ୍ତଙ୍କୁ ଏକ ହୋଟେଲକୁ ଦେଖା କରିବା ପାଇଁ ଡ଼ାକିବା ସହ ସେଠାରୁ ସେମାନେ ଲଙ୍ଗ ଡ଼୍ରାଇଭ୍‌ରେ ବାହରିଥିଲେ । ଯୋଜନା ଅନୁଯାୟୀ ଅର୍ପଣଙ୍କ ୪ଜଣ ସାଙ୍ଗ ଏକ ଢ଼ାବାରେ ଅପେକ୍ଷା କରିଥିବା ବେଳେ ଢ଼ାବା ପାଖରେ ଶୌଚାଳୟ ଯିବା ବାହାନାରେ ଦୀକ୍ଷାନ୍ତଙ୍କୁ ଗାଡ଼ି ରଖିବାକୁ କହିଥିଲେ ଅର୍ପଣ । ଏହା ପରେ ଅର୍ପଣ ନିଜ ସାଥୀମାନଙ୍କ ସହ ମିଶି ଦୀକ୍ଷାନ୍ତଙ୍କୁ ଅପହରଣ କରି ନେଇଥିଲେ । ଶୁକ୍ରବାର ଅପହରଣ ପାଇଁ ମଗା ଯାଇଥିବା ଟଙ୍କା ଆଣିବାକୁ ଅଭିଯୁକ୍ତମାନେ ଦୀକ୍ଷାନ୍ତଙ୍କୁ ଦରିଆପୁର ନାମକ ଏକ ସ୍ଥାନରେ ଛାଡ଼ିବା ପରେ ପୁଲିସକୁ ଏ ନେଇ ଖବର ଦେଇଥିଲେ ଦୀକ୍ଷାନ୍ତ । ସନ୍ଧ୍ୟା ସମୟରେ ଟଙ୍କା ନେବା ପାଇଁ ପହଞ୍ଚିବା ପରେ ଅର୍ପଣ ଏବଂ ତାଙ୍କର ଦୁଇ ସାଥୀଙ୍କୁ ଗିରଫ କରିଥିଲା ପୁଲିସ । ପଞ୍ଜାବରୁ ଆସିଥିବା ଅନ୍ୟ ଦୁଇ ଜଣ ଏବେ ଫେରାର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର