ସ୍କୁଲ୍କୁ ଯାଉଥିବା କୁନି କୁନି ପିଲା ନୁହଁନ୍ତି ସୁରକ୍ଷିତ; ପ୍ରଦ୍ୟୁମ୍ନ ଓ ଅସିଫାଙ୍କ ପରେ ଏବେ ଜଣେ ଦିବ୍ୟାଙ୍ଗ ନାବାଳିକା ସାଜିଲେ ଅନେକଙ୍କ ଲୁହର କାରଣ
କାନପୁର: ଆଜିକାଲି ସ୍କୁଲ୍ମାନଙ୍କରେ ନାନା ପ୍ରକାରର ଅପରାଧ ଘଟୁଛି। ପାଠ ପଢ଼ିବାକୁ ଘରୁ ବାହାରୁଥିବା କୁନି କୁନି ପିଲାମାନେ ହିଂସ୍ର ଲୋକଙ୍କ ଶିକାର ସାଜୁଛନ୍ତି। ନିକଟରେ ଉତ୍ତରପ୍ରଦେଶରେ ପୁଣି ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିିଛି। ଜଣେ ଶୁଣିପାରୁନଥିବା ଓ କହିପାରୁନଥିବା ଦିବ୍ୟାଙ୍ଗ ନାବାଳିକାକୁ ନିଜ ସ୍କୁଲ୍ ପରିସର ମଧ୍ୟରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କନପୁରର ରେଲ ବଜାରରେ ଥିବା ନିଜ ସ୍କୁଲ୍ ପରିସରେ ନାବାଳିକା ସହ ଘଟିଥିବା ଏପରି ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଛି।
ବିଶେଷ କରି ମୁକ ଓ ବଧିରମାନଙ୍କ ପାଇଁ ଉଦିଷ୍ଟ ଏକ ସ୍ୱେଚ୍ଛାସେବୀ ସଂଗଠନ(ଏନ୍ଜିଓ) ଦ୍ୱାରା ଚାଲୁଥିବା ସ୍କୁଲ୍ରେ ପଢୁଥିବା ଏହି ନାବାଳିକା ଜଣକ ଶନିବାର ହଠାତ ବିନା କାରଣରେ ସ୍କୁଲ୍ ଯିବା ପାଇଁ ମନା କରିଥିଲା। ନାବାଳିକା ଜଣକ ଖୁସିର ସହ ସବୁବେଳେ ସ୍କୁଲ୍ ଯିବାକୁ ବାହାରୁଥିବା ବେଳେ କାହିଁକି ଅମଙ୍ଗ ହେଉଛି ବୋଲି ତାଙ୍କ ମାଆ ଜାଣିବା ଉଦ୍ଦେଶ୍ୟରେ ନାନା ପ୍ରଶ୍ନ ପଚାରିଥିଲେ। ପିଲାଟି ଦେଇଥିବା ଉତ୍ତରରୁ ମାଆ ବୁଝିପାରିଥିଲେ ଯେ ତାଙ୍କ ଝିଅ ସ୍କୁଲ୍ରେ କାହା ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛି। ଫଳରେ ପୀଡ଼ିତାଙ୍କ ମାଆ ପୁଲିସ୍ରେ ଅଭିଯୋଗ ଆଣିଥିଲେ।
ତାଙ୍କ ମାଆ ଅଭିଯୋଗ ଆଣିଛନ୍ତି ଯେ ଅଭିଯୁକ୍ତକୁ ଧରିବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିନାହାନ୍ତି। ମାତ୍ର ପୁଲିସ୍ ଦେଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ସ୍କୁଲ୍, ରାସ୍ତା କିମ୍ବା ଅନ୍ୟ କେଉଁ ସ୍ଥାନରେ ନାବାଳିକା ଜଣକ ଯୌନ ଶୋଷଣର ଶିକାର ହୋଇଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ପୀଡ଼ିତା ନାବାଳିକାଙ୍କୁ ସ୍କୁଲ୍କୁ ନିଆଯିବ। ଇତି ମଧ୍ୟରେ ଡାକ୍ତରୀ ପରୀକ୍ଷା ବି ସରିଯାଇଛି। ପୁଲିସ୍ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ନିକଟରେ ସେଲ୍ଟର ହୋମ ମାମଲାକୁ ନେଇ ୟୁପି ପୂରା ଦେଶରେ ବଦନାମ ହୋଇସାରିବା ପରେ ଏହି ମାମଲା ପୁଣି ଥରେ ୟୁପି ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି।