ହୃତ୍‌ପିଣ୍ଡରୁ ବାହାରି ପଡ଼ିଲା ପେସ୍‌ମେକର୍‌, ଅଯୌକ୍ତିକ କାରଣ ଦେଖାଇ ଚିକିତ୍ସା ନ କରି ଫେରାଇ ଦେଲେ ହସ୍ପିଟାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଦୁଇ ଦୁଇଟି ହସ୍ପିଟାଲ୍‌ ଜଣେ ରୋଗୀ ସହ ଯେଉଁ ଭଳି ଭାବେ ହୃଦୟହୀନ ଆଚରଣ ପ୍ରଦର୍ଶନ କରିଛନ୍ତି ତାହା ଏବେ ସାଧାରଣ ଲୋକଙ୍କ ମନରେ ହସ୍ପିଟାଲ୍‌ଗୁଡ଼ିକର ରୋଗୀମାନଙ୍କ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠାଇଛି। ଅଭିଯୋଗ ହୋଇଛି ଯେ ଜଣେ ମହିଳା ରୋଗୀଙ୍କ ହାର୍ଟରୁ ପେସ୍‌ମେକର୍‌ ଖସି ପଡ଼ିବା ପରେ ରୋଗୀ ଜଣକ ହସ୍ପିଟାଲ୍‌ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଦୁଃଖର କଥା ହେଉଛି ପେସ୍‌ମେକର୍‌ଟି ଅନ୍ୟ କେଉଁ ହସ୍ପିଟାଲ୍‌ରେ ଲଗା ଯାଇଥିବା ହେତୁ ଉକ୍ତ ରୋଗୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ନିରାଶ କରି ଦୁଆରୁ ଫେରାଇ ଦେଇଥିଲେ ହସ୍ପିଟାଲ୍‌ର ଡାକ୍ତରମାନେ।

ପୀଡ଼ିତା ରୋଲି ସୋମ୍‌ବଂଶୀଙ୍କ ବୟସ ୬୨ ବର୍ଷ। ସେ ଉତ୍ତରପ୍ରଦେଶର ସୈଫାଇର ବାସିନ୍ଦା। ଗତ ବର୍ଷ ସେ ତାଙ୍କ ଗାଁ ନିକଟରେ ଥିବା ଏକ ହସ୍ପିଟାଲ୍‌ରେ ଲଗାଇଥିବା ପେସ୍‌ମେକର୍‌ ଖସି ପଡ଼ିବା ପରେ ଜୀବନ ବଂଚାଇବା ଲାଗି ମହିଳା ଜଣକ ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ଧାଇଁ ଆସିଥିଲେ। ମାତ୍ର ଦିଲ୍ଲୀର ଦୁଇ ନାମକରା ହସ୍ପିଟାଲ୍‌ ନେସ୍‌ନାଲ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ ଏବଂ ଜିବି ପନ୍ଥ ହସ୍ପିଟାଲ୍‌ ତାଙ୍କୁ ଏହା କହି ଫେରାଇ ଦେଇଛନ୍ତି ଯେ ତୁମେ ଭିନ୍ନ ସ୍ଥାନରୁ ପେସ୍‌ମେକର୍‌ ଲଗାଇଥିବା ହେତୁ ଆମେ ତୁମର ଚିକିତ୍ସା କରିପାରିବୁ ନାହିଁ। ପରିବାର ଲୋକଙ୍କ କହିବା କଥା ହେଲା ନୂଆ ପେସ୍‌ମେକର୍‌ର ଦାମ ପାଖାପାଖି ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବା ହେତୁ ସେମାନେ ନୂଆ ଲଗାଇବା ଅବସ୍ଥାରେ ନାହାନ୍ତି। ମାତ୍ର ପୁରୁଣା ପେସ୍‌ମେକର୍‌ ଲଗାଇବା ପାଇଁ ଡାକ୍ତରମାନେ ଅନାଗ୍ରହ ପ୍ରକାଶ କରି ଫେରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର