ସଂଖ୍ୟାଲଘୁ ସଂପ୍ରଦାୟର ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବାରୁ ବ୍ୟକ୍ତିଙ୍କୁ ୧୬ ଥର ଛୁରୀରେ ଭୁଷିଲେ ଉତ୍ତ୍ୟକ୍ତ ଲୋକେ

0 186

ହାଇଦ୍ରାବାଦ: ଅତ୍ୟାଧୁନିକ ମହାନଗର ହାଇଦ୍ରାବାଦରେ ଏକ ଲୋମହର୍ଷଣକାରୀ ମାମଲା ଜାତୀୟ ଗଣମାଧ୍ୟମର ନଜରକୁ ଆସିଛି। ଏଠାରେ କିଛି ଲୋକ ଏକାଠି ହୋଇ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଛୁରୀ ଭୁଷିଛନ୍ତି। ଆକ୍ରମଣ ସମୟରେ ରକ୍ତମୁଖା ଲୋକମାନେ ପୀଡ଼ିତଙ୍କୁ ୧୬ଥର ଛୁରୀରେ ଭୁଷିଥିବା ଜଣାପଡ଼ିଛି। ପୀଡ଼ିତଙ୍କ ଭୁଲ ଏତିିକି ଥିଲା ଯେ, ସେ ଜଣେ ହିନ୍ଦୁ ହୋଇ ବି ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ଶିଶୁକୁ ଲାଳନପାଳନ କରୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ୧୬ ଥର ଛୁରୀରେ ଆକ୍ରମଣ କରାଯିବା ପରେ ମଧ୍ୟ ପୀଡ଼ିତଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ହାଇଦ୍ରାବାଦସ୍ଥିତ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ଜୁନ ୧ରେ ହୋଇଥିବା ଘଟଣା, ନିକଟରେ ଗଣମାଧ୍ୟମକୁ ଜଣାପଡ଼ିଛି।

ଖବର ଅନୁସାରେ ପାପାଲାଲ ରବିକାନ୍ତ ନାମରେ ଜଣେ ବ୍ୟକ୍ତି ୨୦୦୮ରେ ହୋଇଥିବା ହାଇଦ୍ରାବାଦ ବିସ୍ଫୋରଣ ସମୟରେ ଗୋକୁଳ ଚାଟ ସେଣ୍ଟରରୁ ଜଣେ ଶିଶୁଙ୍କୁ ସଂକଟ ପରିସ୍ଥିିତିରେ ଉଦ୍ଧାର କରିଥିଲେ। ଶିଶୁକନ୍ୟାକୁ ଯେତେବେଳେ କେହି ନେବାକୁ ଆସି ନଥିଲେ, ପାପାଲାଲ ଓ ତାଙ୍କର ପତ୍ନୀ ଜୟଶ୍ରୀ ଶିଶୁକନ୍ୟାଟିକୁ ନିଜର ଘରକୁ ନେଇ ଆସିଥିଲେ। ଏହା ପରେ ସେମାନେ ଶିଶୁକୁ ଲାଳନପାଳନ କରୁଥିଲେ। ପାପାଲାଲଙ୍କ କହିବା ଅନୁସାରେ ଶିଶୁକନ୍ୟାକୁ ଘରକୁ ଆଣିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି। ୮ମ ଶ୍ରେଣୀର ଛାତ୍ରୀ ହେଉଛି ସାନିଆ। ଜଣେ ହିନ୍ଦୁଙ୍କ ଦ୍ୱାରା ମୁସଲିମ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ସ୍ଥାନୀୟଲୋକେ ସହ୍ୟ କରିପାରୁ ନାହାନ୍ତି। ଏଥି ପାଇଁ ସେମାନେ ପାପାଲାଲଙ୍କ ପରିବାରକୁ ବିରୋଧ କରୁଛନ୍ତି। ଏହି କାରଣରୁ ପାପାଲାଲଙ୍କୁ ଗତ ଜୁନ ୧ରେ କିଛି ଲୋକମାନେ ଆକ୍ରମଣ କରିଥିଲେ।

ଏକ ଜାତୀୟ ଗଣମାଧ୍ୟମକୁ ଆଲୋଚନା ବେଳେ ପାପାଲାଲ କହିଛନ୍ତି, ସାନିଆ ୨୦୦୮ ବୋମା ବିସ୍ଫୋରଣ ବେଳେ ନିଜର ପରିବାରକୁ ହରାଇ ଥିଲା। ତାକୁ ଯେତେବେଳେ କେହି ନେବାକୁ ଆସିନଥିଲେ, ଆମେ ନେଇ ଆସିଲୁ। ସାନିଆକୁ ନେଇ ଆସିବା ପରେ ଆମ ଘରେ ଖୁସିର ଲହରୀ ଖେଳି ଯାଇଥିଲା। ଆମେ ହିନ୍ଦୁ-ମୁସଲିମ ମଧ୍ୟରେ ଭେଦଭାବ ରଖିନଥାଉ। ଆମେ ମନୁଷ୍ୟତାକୁ ଭଲ ପାଉ ଓ ବିଶ୍ୱାସ ରଖିଥାଉ। ସାନିଆ ଏବେ ମୋର ଛୋଟ ଝିଅ ବୋଲି ପାପାଲାଲ କହିଛନ୍ତି। ଯେତେ କ୍ଷତି ହେଉ ପଛେ, ଆମେ ସାନିଆକୁ ଛାଡି ପାରିବୁ ନାହିଁ।

ପାପାଲାଲ କୁହନ୍ତି, କିଛି ଲୋକ ସାନିଆଙ୍କ ମଥାରେ ଚନ୍ଦନ ବୋଲିବାକୁ ମନା କରନ୍ତି। ସେହିଭଳି କିଛି ଲୋକ ନାମ ବଦଳାଇ ଅଞ୍ଜଳି ଅଥବା ସୋନିଆ ରଖିବାକୁ ପରାମର୍ଶ ଦେଉଛନ୍ତି। ଏଥିରେ ଆମକୁ କୌଣସି ଅସୁବିଧା ନାହିଁ। ଆମେ ଏକତା ଓ ଭାଇଚାରାରେ ବିଶ୍ୱାସ ରଖୁ ଓ ଚାହୁଁ ଯେ, ସମସ୍ତେ ଶାନ୍ତିର ସହିତ ଜୀବନଯାପନ କରନ୍ତୁ।

ପାପାଲାଲଙ୍କ ପତ୍ନୀ ଜୟଶ୍ରୀଙ୍କ କହିବା ଅନୁସାରେ ଆମର ଧର୍ମକୁ ନେଇ ସମସ୍ତେ ନିର୍ଯ୍ୟାତନା ଦେଉଛନ୍ତି। ଝିଅକୁ ମଧ୍ୟ ନିର୍ଯ୍ୟାତନା ସହିବାକୁ ପଡୁଛି। ସେ କହିଛନ୍ତି, ଆମେ ସମସ୍ତେ ଯେତେବେଳେ ଖୁସିରେ ଅଛୁ ସମାଜକୁ କ’ଣ ଅସୁବିଧା ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.