ଆପ୍‌ରୁ ବୁକିଂ ନ କରି ସିଧାସଳଖ ଭାବେ ଚାଳକଙ୍କୁ ସଂପର୍କ କଲେ ମହିଳା, ପରଦିନ ମିଳିଲା ମୃତଦେହ

କୋଲକାତା : ଅନ୍‌ଲାଇନ୍‌ କ୍ୟାବ୍‌ ବୁକ୍‌ କରି ଅସଦାଚରଣ ଶିକାର ହେବା ଖବର କିଛି ନୂଆ ନୁହେଁ । ଅନେକ ଥର ଅନେକ ମହିଳା ଏ ନେଇ ଅଭିଯୋଗ ଆଣିବା ସହ କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯିବା ସହ ଅଭିଯୁକ୍ତ ଚାଳକକୁ ଚାକିରିରୁ ବାହାର କରି ଦିଆଯାଇଛି । କିନ୍ତୁ କ୍ୟାବ୍‌ ମଧ୍ୟରେ ହେଉଥିବା ଅପରାଧ ଥମୁନାହିଁ । ଅନେକ ଥର ଚାଳକ ଆପ୍‌ରୁ ବୁକିଂ ରଦ୍ଦ କରି ସିଧାସଳଖ ଭାବେ ଯାତ୍ରୀଙ୍କ ସହ ଯୋଗାଯୋଗ କରିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଅପରାଧ କରିବାରେ କୌଣସି ସମସ୍ୟା ହୋଇ ନ ଥାଏ । ଏଭଳି ନ କରିବାକୁ ପୁଲିସ ଅନେକ ଥର ଅନ୍‌ଲାଇନ୍‌ ଆପ୍‌ ଦ୍ୱାରା କ୍ୟାବ୍‌ ବୁକ୍‌ କରୁଥିବା ଲୋକଙ୍କୁ ତାଗିଦ୍‌ କରିଛି । କିନ୍ତୁ ଏତେ ସବୁ ପରେ ମଧ୍ୟ କୋଲକାତାରେ ରହୁଥିବା ଜଣେ ମହିଳାଙ୍କ ସହ ଲୋମଟାଙ୍କୁରି ଦେବା ଭଳି ଘଟଣା ଘଟିଛି ।

Online Cab
Indiatimes.com

ସୂଚନା ମୁତାବକ, ପୂଜା ସିଂହ ଦେ’ ନାମକ ଜଣେ ମହିଳା କୋଲକାତାରୁ ବେଙ୍ଗାଲୁରୁ ଆସିଥିଲେ । ପେସାରେ ଜଣେ ମଡ଼େଲ ଓ ଇଭେଣ୍ଟ ମ୍ୟାନେଜର ଥିଲେ ପୂଜା । ଏକ ଇଭେଣ୍ଟ ପାଇଁ ତାଙ୍କୁ ବେଙ୍ଗାଲୁରୁ ଯିବାକୁ ପଡ଼ିଥିଲା । ବେଙ୍ଗାଲୁରୁ ବିମାନବନ୍ଦରରୁ ଏଚ୍‌ଏନ୍‌ ନାଗେଶ ନାମକ ଜଣେ ଓଲା ଚାଳକ ପୂଜାଙ୍କୁ ଆଣି ହୋଟେଲରେ ଛାଡ଼ିଥିଲେ । ଏହା ପରେ ପୂଜା ନାଗେଶଙ୍କୁ ଦୁଇ ଦିନ ପରେ ଆସି ହୋଟେଲରୁ ନେବା ପାଇଁ କହିଥିଲେ । ଦୁଇ ଦିନ ପରେ ଭୋର ୪ଟାରେ ନାଗେଶ ପୂଜାଙ୍କୁ ଆସି ହୋଟେଲରୁ ନେଇଥିଲେ । ଏ ନେଇ ପୂଜା ନାଗେଶଙ୍କୁ ଆପ୍‌ ମାଧ୍ୟମରେ ବୁକ୍‌ କରି ନଥିଲେ । ତେବେ ନାଗେଶଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ପୂର୍ବରୁ ପୂଜାଙ୍କୁ ଲୁଟିବାର ଯୋଜନା କରିଥିଲେ । ଗାଡ଼ିରେ ପୂଜା ଶୋଇ ପଡ଼ିବା ପରେ ନାଗେଶ ଗାଡ଼ିକୁ ଏକ ଜନଶୂନ୍ୟ ସ୍ଥାନକୁ ନେଇ ଯାଇଥିଲେ । ପୂଜା ଉଠିବା ପରେ ନାଗେଶ ତାଙ୍କ ବ୍ୟାଗ୍‌ରୁ କିଛି ଜିନିଷ କାଢ଼ୁଥିବା ଦେଖି ଚିତ୍କାର କରିବାକୁ ଲାଗିଥିଲେ । ଏହା ଦେଖି ନାଗେଶ ତାଙ୍କୁ ଲୁହା ରଡ଼ ଓ ଧାରୁଆ ଛୁରୀରେ ଆକ୍ରମଣ କରିବାରୁ ପୂଜାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସକାଳ ହେବା ପରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଯାହା ପରେ ତଦନ୍ତ କରି ପୁଲିସ ନାଗେଶକୁ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର