ପିଶାଚ ପାଲଟିଲା ସ୍ୱାମୀ ଗର୍ଭବତୀ ସ୍ତ୍ରୀଙ୍କୁ ମାରି ଜାଳିଦେଲା

ତିନି ବର୍ଷ ତଳେ ସୁକାନ୍ତିକୁ ପ୍ରେମ ବିବାହ କରିଥିଲା ବିଭୀଷଣ

ଚନ୍ଦ୍ରଶେଖରପୁର: ସାତ ଜନ୍ମ ପାଇଁ ସାଥୀ ହେବ ବୋଲି କହି ହାତ ଧରିଥିଲା ସ୍ୱାମୀ। କିନ୍ତୁ ଏଇ ଜନ୍ମରେ ଏମିତି ପିଶାଚ ପାଲଟିଗଲା ଯେ ଗର୍ଭବତୀ ସ୍ତ୍ରୀର ହାତକୁ ବାନ୍ଧି ବେକରେ କଠା ପକାଇ ନୃଶଂସ ଭାବେ ହତ୍ୟା କରିବା ପରେ କିରୋସିନ ଢ଼ାଳି ପୋଡ଼ିଦେଲା। ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ କେନାଲ ବନ୍ଧ ନିକଟ ପାଟଦେଇ ବସ୍ତିରେ। ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀ ବିଭୀଷଣ ସନ୍ଦେଲ ନାମକ ଜଣେ ଯୁବକ ତା’ର ସ୍ତ୍ରୀ ସୁକାନ୍ତିକୁ ନିର୍ମମ ଭାବରେ ହତ୍ୟା କରିଥିବା ଜାଣିବା ପରେ ମଞ୍ଚେଶ୍ୱର ଥାନା ପୁଲିସ ବିଭୀଷଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ବିଭୀଷଣ ନାମରେ ଆଇପିସିର ଧାରା ୧୪୯/୧୮, ୪୯୮(କ), ୩୦୪(ଖ), ୩୦୨ ଦଫାରେ ଏକ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଭୀଷଣର ଘର କେନ୍ଦୁଝର ଜିଲ୍ଲାରେ। ସେ ପ୍ରାୟ ୩ବର୍ଷ ପୂର୍ବେ ସୁକାନ୍ତିକୁ ପ୍ରେମ ବିବାହ କରିଥିଲା। ସେମାନଙ୍କର ଗୋଟିଏ ୨ବର୍ଷର ଶିଶୁକନ୍ୟା ଅଛି। ଏବେ ସୁକାନ୍ତି ପୁଣି ୩ମାସର ଗର୍ଭବତୀ ଥିଲା। ଗ୍ରାମରେ ରୋଜଗାର ମିଳୁନଥିବାରୁ ଉଭୟ ସ୍ୱାମୀ- ସ୍ତ୍ରୀ ରାଜଧାନୀକୁ ଚାଲିଆସି ପ୍ରଥମେ ପାଟଦେଇ ବସ୍ତିର ଏକ ଝୁମ୍ପୁଡ଼ି ଘରେ ରହୁଥିଲେ। ପରେ କିଛି ଟଙ୍କା ରୋଜଗାର ହେବାରୁ ସେମାନେ ସେହି ବସ୍ତିର ଏକ ଆଜିବେଷ୍ଟସ୍‌ ଘରେ ଭଡ଼ା ନେଇ ରହୁଥିଲେ। ସେମାନଙ୍କ ମଧ୍ୟରେ ଅର୍ଥାଭାବକୁ ନେଇ ବାରମ୍ବାର କଳହ ହୋଉଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଣେ ଦିନ ମଜୁରିଆ ଭାବେ ସ୍ଥାନୀୟ ଠିକାଦାରଙ୍କ ନିକଟରେ କାମ କରୁଥିବା ବିଭୀଷଣ ପ୍ରତିଦିନ ସେ ମଦ ପିଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲା ଏବଂ ସୁକାନ୍ତିକୁ ମାଡ଼ ମାରୁଥିଲା। ଗତ ସୋମବାର ଦିନ ସୁକାନ୍ତିକୁ ବିଭୀଷଣ ରାତି ଅଧରେ ମାଡ଼ମାରି ଘରୁ ବାହାର କରି ଦେଇଥିଲା। ଫଳରେ ସୁକାନ୍ତି ରାତି ତମାମ ଘର ବାହାରେ ଶୋଇଥିଲା। ସେହିଭଳି ଗତକାଲି ରାତିରେ ମଧ୍ୟ ସୁକାନ୍ତି ଘର ଚଳାଇବା ପାଇଁ ଟଙ୍କା ମାଗିବାରୁ ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଆଉ ବିଭୀଷଣ ସୁକାନ୍ତିକୁ ନିସ୍ତୁକ ମାଡ଼ମାରିଥିଲା। ଜଣେ ପଡ଼ୋଶୀ ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରିବା ପରେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପୁଣି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏତିକିବେଳେ ବିଭୀଷଣ କ୍ରୋଧରେ ଏମିତି ଅନ୍ଧ ହୋଇଯାଇଥିଲା ଯେ ମଣିଷରୁ ପିଶାଚ ପାଲଟି ଯାଇଥିଲା। ହିତାହିତ ଜ୍ଞାନଶୂନ୍ୟ ହୋଇ ସେ ସୁକାନ୍ତିର ଦୁଇ ହାତକୁ ବାନ୍ଧି ବେକକୁ ନିଜ ହାତରେ କଠା ପକାଇ ଚାପି ଧରିଥିଲା। ଫଳରେ ଘଟଣାସ୍ଥଳରେ ଛଟପଟ ହୋଇ ସୁକାନ୍ତିର ପ୍ରାଣ ଚାଲି ଯାଇଥିଲା ସୁକାନ୍ତିର ମୃତ୍ୟୁ ପରେ ବିଭୀଷଣ ଧରା ପଡ଼ିଯିବା ଭୟରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା।

ସେ ବନ୍ଧା ହୋଇଥିବା ସୁକାନ୍ତିର ହାତକୁ ଖୋଲି ଦେଇଥିଲା ଏବଂ କିଛି ସମୟ ପାଇଁ ଝିଅକୁ ନେଇ ବାହାରକୁ ଚାଲିଯାଇଥିଲା। ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ୌ କୌଣସି ଏକ ସ୍ଥାନରୁ ଏକ ପିମ୍ପାରେ ୮/୧୦ ଲିଟର କିରୋସିନ ଧରି ଫେରିଥିଲା। ଏହାପରେ ସ୍ତ୍ରୀର ମୃତଦେହକୁ ଶୋଇବା ଶେଜ ଉପରେ ରଖି କିରୋସିନ ଢାଳି ଦେଇଥିଲା। ପରେ ନିଜ ଦୁଇ ବର୍ଷର ଝିଅ ଆଗରେ ତା’ର ମା’ର ମୃତ ଦେହକୁ ଦିଆସିଲି ଲଗାଇ ଜାଳି ଦେଇଥିଲା ବିଭୀଷଣ। ନିଆଁ ଦେଖି ଝିଅ କାନ୍ଦି ଉଠିବାରୁ ସେ ଝିଅକୁ ନେଇ ଘର ବାହାରକୁ ଚାଲି ଆସି କବାଟ ବନ୍ଦ କରିଦେଇଥିଲା। ଏମିତି ରାତିସାରା ନିଆଁ ଜଳିବା ପରେ ଘର ବାହାରେ ଜଗି ବସିଥିଲା ବିଭୀଷଣ। ମଣିଷ ପୋଡ଼ା ଗନ୍ଧ ହେବାରୁ ସ୍ଥାନୀୟ ଲୋକ ତା’ର ଘର ନିକଟରେ ପହଞ୍ଚି ଘଟଣା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବାରୁ ସେ ସେଠାରୁ ଚାଲିଯାଇ ସେ ଅନ୍ୟ ଏକ ବସ୍ତିରେ ଲୁଚି ଯାଇଥିଲା। ସ୍ଥାନୀୟ ଲୋକେ ଘର ଭିତରକୁ ଯାଇ ଦେଖିଲା ବେଳକୁ ସେଠାରେ ଦରପୋଡ଼ା ଅବସ୍ଥାରେ ସୁକାନ୍ତିର ମୃତଦେହ ପଡ଼ଥିଲା। ଲୋକେ ଏ ନେଇ ତୁରନ୍ତ ମଞ୍ଚେଶ୍ୱର ଥାନା ପୁଲିସକୁ ସୂଚନା ଦେବାରୁ ଆଇଆଇସି କେପି ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବିଭୀଷଣକୁ ଗିରଫ କରିବା ସହ ତା’ର ୨ବର୍ଷର ଝିଅକୁ ଉଦ୍ଧାର କରିଥିଲେ। ଏହାପରେ ପ୍ରଦୀପ ସେବା ଟ୍ରଷ୍ଟ୍‍ର ସଭ୍ୟମାନଙ୍କ ସହଯୋଗରେ ସୁକାନ୍ତିର ଦରପୋଡ଼ା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା ପୁଲିସ। ଏବେ ସୁକାନ୍ତିର କୁନି ଝିଅଟି ତା’ର ଜଣେ ସମ୍ପର୍କୀୟଙ୍କ ଘରେ ରହିଛି। ନିଜ ଭିଟାମାଟି ଛାଡ଼ି ରାଜଧାନୀକୁ ଦୁଇ ପଇସା ରୋଜଗାର ଆଶାରେ ଆସିଥିବା ବିଭୀଷଣ ନିଶା କବଳରେ ପଡ଼ି ନିଜ ପତ୍ନୀକୁ ହତ୍ୟା କରିଛି ବୋଲି ଥାନାରେ କାନ୍ଦି କାନ୍ଦି ବୟାନ ଦେଇଛି।

ସମ୍ବନ୍ଧିତ ଖବର