ମହିଳାଙ୍କୁ ଗଳା କାଟି ହତ୍ୟା, ସ୍ୱାମୀ ଫେରାର

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଧୀନ କାଳୀବାଡ଼ି ବସ୍ତିରେ ଆଜି ସଂଧ୍ୟାରେ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବସ୍ତି ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି। ତେବେ ଖବର ଲେଖା ହେବା ବେଳକୁ ମହିଳାଙ୍କ ପରିଚୟ ଜଣାପଡ଼ିନଥିଲା। ସେହିପରି ରାତି ଅଧିକ ହୋଇଯିବାରୁ ପୁଲିସ ଉକ୍ତ ଘରକୁ ସିଲ୍‌ କରି ଦେଇଛି। ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ଘର ଖୋଲାଯାଇ ନମୁନା ସଂଗ୍ରହ ପରେ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ମହିଳାଙ୍କ ସ୍ୱାମୀଙ୍କ ସଂପର୍କରେ କୌଣସି ପତ୍ତା ମିଳୁନଥିବାରୁ ସେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ,୧୫ରୁ ୨୦ ଦିନ ତଳେ ମହିଳା ଓ ତାଙ୍କ ସ୍ୱାମୀ ବସ୍ତିକୁ ଆସିଥିଲେ। ଏକ ଘରେ ଭଡ଼ାରେ ରହି କାମ କରି ଚଳୁଥିଲେ। ତେବେ ଆଜି(ରବିବାର) ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରୁ କେହି ବାହାରକୁ ବାହାରି ନଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ ପଡ଼ୋଶୀ ଘରର ଜଣେ ମହିଳା ତାଙ୍କ ଘରକୁ ଯାଇ କବାଡ଼ ବାଡ଼େଇଥିଲେ ହେଁ କିଛି ଉତ୍ତର ମିଳିନଥିଲା। ସନ୍ଦେହ ହେବାରୁ ସେ ଝରକା ବାଟେ ଦେଖିବାରୁ ମହିଳାଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ମହିଳାଜଣଙ୍କ ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକମାନେ ସେଠାକୁ ଧାଇଁ ଆସିଥିଲେ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିଥିଲା। ଘରର ଜିନିଷପତ୍ର ଖେଳେଇ ହୋଇ ପଡ଼ିଥିବା ବେଳେ ଶବ ପଡ଼ିଥିବା ଦେଖିବାକୁ ପାଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର