ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ: ନିର୍ଦେଶକଙ୍କ ଶଯ୍ୟା ସଙ୍ଗିନୀ ହେବାକୁ ଚାପ ପକାଉଛନ୍ତି ସ୍ୱାମୀ

ପୁରୁଣା ଭୁବନେଶ୍ୱର: ସିନେମାରେ ଅଭିନୟ କରିବା ପାଇଁ ପତ୍ନୀଙ୍କୁ ବ୍ୟବହାର କରିବା ଭଳି କାହାଣୀ କେବଳ ସିନେମାରେ ହିଁ ଦେଖିବାକୁ ମିଳେ। ବାସ୍ତବରେ ଏଭଳି ଘଟଣା ବିରଳ। ମାତ୍ର ରାଜଧାନୀର ସାମନ୍ତରାପୁର ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳା ଆଜି ଶ୍ରୀଲିଙ୍ଗରାଜ ଥାନାରେ ନିଜ ସ୍ୱାମୀଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚନ୍ଦନ କର ନାମକ ଜଣେ ଯୁବକ ସିନେମାରେ ଅଭିନୟ କରିବା ଲାଗି ତାଙ୍କୁ ନିର୍ଦେଶକ ସହ ରାତ୍ରିଯାପନ କରିବା ପାଇଁ ବାଧ୍ୟ କରୁଥିଲେ ବୋଲି ପତ୍ନୀ ମାଧୁରୀ(ଛଦ୍ମନାମ) ଥାନାରେ ଏତାଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ୨୦୧୨ରେ ମାଧୁରୀ କଳାହାଣ୍ଡିରୁ ଆସି ଭୁବନେଶ୍ୱର ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ଏହି ସମୟରେ ବାଲେଶ୍ୱରର ଚନ୍ଦନଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରସ୍ପର ଚିହ୍ନା ପରିଚୟ ହେବା ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ଚନ୍ଦନଙ୍କ ଘରୁ ଏହି ବିବାହକୁ ସ୍ୱୀକୃତି ମିଳିବା ନେଇ ସନ୍ଦେହ ଥିଲା। ତେଣୁ ୨୦୧୩ରେ ସେମାନେ ‘ଆମଫୋଇ’ ସଂସ୍ଥା ଜରିଆରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ସାମନ୍ତରାପୁର ଅଞ୍ଚଳରେ ଏକ ଭଡ଼ା ଘରେ ଉଭୟ ରହିଥିଲେ। ଏମିତି ବେଶ୍‌ କିଛି ଦିନ ଏକାଠି ରହିବା ପରେ ଚନ୍ଦନଙ୍କ ବାଲେଶ୍ୱରସ୍ଥିତ ନିଜ ଘରକୁ ଯିବା ପାଇଁ ମାଧୁରୀ ଆଗ୍ରହ ପ୍ରକାଶ କରିଥିଲେ। ତେବେ ଆଉ କିଛି ଦିନ ଯାଉ ଘରକୁ ଯିବା କହି ଚନ୍ଦନ ଦିନ ଗଡ଼ାଇ ଚାଲିଥିଲେ। ହେଲେ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରି ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଆଉ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ରହିଥିଲେ।

ତେବେ କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇ ଯାଇଥିଲା। ଉଭୟ ପୁଣିଥରେ ଏକାଠି ରହିଥିଲେ। ଏହି ସମୟରେ ମାଧୁରୀ ଗର୍ଭବତୀ ହୋଇଥିଲେ। ଉଭୟଙ୍କ ଛୋଟ ସଂସାର ଠିକ୍‌ଠାକ୍‌ ଚାଲିଥିବା ବେଳେ ସିନେମାରେ ଅଭିନୟ କରିବାକୁ ଚନ୍ଦନଙ୍କ ନିଶା ଘାରିଥିଲା। ସେ ଏକଥା ମାଧୁରୀଙ୍କୁ ଜଣାଇଥିଲେ ଏବଂ ଏଥିପାଇଁ ଏକ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ କହିଥଲେ। ହେଲେ ଏତେ ଟଙ୍କା କେଉଁଠୁ ଆଣିବି ବୋଲି କହି ମାଧୁରୀ ନିଜର ଅକ୍ଷମତା ପ୍ରକାଶ କରିଥିଲେ।

ମାଧୁରୀଙ୍କ ଅଭିଯୋଗ ଅନୁଯାୟୀ ଚନ୍ଦନଙ୍କ ସିନେମାରେ ଅଭିନୟ ନିଶା ଏତେ ବଢ଼ିଯାଇଥିଲା ଯେ, ସେ ମାଧୁରୀଙ୍କୁ ସିନେମାର ନିର୍ଦେଶକଙ୍କ ସହ ରାତ୍ରିଯାପନ କରିବାକୁ ଚାପ ପକାଇଥିଲେ। ଚନ୍ଦନଙ୍କ ଏଭଳି କଥା ଶୁଣି ମାଧୁରୀ ଚକିତ ହୋଇଯାଇଥିଲେ। ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ତେବେ ଫିଲ୍ମରେ ଅଭିନୟ କରିବାକୁ ହେଲେ ଏମିତି କରିବାକୁ ପଡ଼େ ବୋଲି ଚନ୍ଦନ ତାଙ୍କୁ ବୁଝାଇଥିଲେ। ମାତ୍ର ସେ ଏଭଳି ଘୃଣ୍ୟ ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ। ମାଧୁରୀ କୌଣସି ପ୍ରକାରେ ରାଜି ନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଚନ୍ଦନ ତାଙ୍କୁ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରିଥିଲେ। ଏଥିପାଇଁ ଚନ୍ଦନ ବିଭିନ୍ନ ସମୟରେ ମାଧୁରୀଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ। ଏମିତିକି ଚନ୍ଦନ ଛାଡ଼ପତ୍ର ପାଇଁ ମାଧୁରୀଙ୍କୁ କଟକର ଜଣେ ଓକିଲଙ୍କ ପାଖକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ଜାତିକୁ ନେଇ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ସେ ତାଙ୍କ ଭିତରେ ଥିବା ସବୁ ସଂପର୍କକୁ ଭୁଲିଯିବା ଲାଗି କହିଥିଲେ ବୋଲି ମାଧୁରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର