ଚାକିରି ଦେବା ନାଁରେ ମହିଳାଙ୍କୁ ହାଇଦ୍ରାବାଦ୍‌ରୁ ନେଇ ଦୁବାଇରେ ବିକିଥିଲେ ଯୁବକ

ହାଇଦ୍ରାବାଦ୍‌: ଆଜିକାଲି ଚାକିରିକୁ ନେଇ ଯୁବପିଢ଼ି ଖୁବ୍‌ ଚିନ୍ତିତ ହୋଇ ପଡ଼ିଛନ୍ତି । ଦେଶରେ ଚାକିରିର ଅଭାବ ଦେଖାଯାଉଥିବା ବେଳେ ଲୋକମାନେ ଘର ଚଳାଇବା ପାଇଁ ଦେଶ ବା ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଚାକିରି ପାଇବା ନାଁରେ ଅନେକ ଲୋକ ଠକେଇର ଶିକାର ହୋଇଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ହାଇଦ୍ରାବାଦ୍‌ରେ ସେଭଳି କିଛି ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦୁବାଇରେ ଚାକିରି ଦେବା ନାଁରେ ତା’ଙ୍କ ଘର ପାଖର ଜଣେ ଲୋକ ତା’ଙ୍କୁ ଜଣେ ଶେଖ୍‌ଙ୍କୁ ବିକି ଦେଇଥିବା ଅଭିଯୋଗ ହୋଇଛି ।
ମହିଳାଙ୍କ ପରିବାର ପକ୍ଷରୁ ପୁଲିସରେ ଏତଲା ଦିଆଯିବା ପରେ ମହିଳାଙ୍କୁ ଦୁବାଇରୁ ସୁରକ୍ଷିତ ଭାବରେ ହାଇଦ୍ରାବାଦ୍‌ ଅଣା ଯାଇଥିବା ସୂଚନା ମିଳିଛି । ଘରକୁ ଫେରିବା ପରେ ମହିଳାଙ୍କୁ ଏ ନେଇ ପଚରାଯିବା ପରେ, “ଚାକିରି ଅଭାବ ଥିବାରୁ ଜଣେ ଲୋକ ମୋତେ ଦୁବାଇର ସୁପର ମାର୍କେଟ୍‌ରେ ଚାକିରି ଦେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ । ମୁଁ ତାଙ୍କ କଥା ମାନି ଦୁବାଇରେ ପହଞ୍ଚିବା ପରେ ମୋତେ ଗୋଟେ ଅଫିସ ଭିତରେ ରଖା ଯାଇଥିଲା । କିଛି ସମୟ ପରେ ଜଣେ ଶେଖ୍‌ ଆସି ମୋତେ ସେଠୁ କିଣିବା ସହ ବାହରିନ୍‌ ନେଇଥିଲେ ।

The Hans India

ସେଠାରୁ ମୋତେ ଘରୋଇ କାମ ପାଇଁ ଓମାନ୍‌ ନିଆ ଯାଇଥିଲା । ମୁଁ କାମ କରୁଥିବା ଘରର ମାଲିକ ମୋତେ ନିର୍ଯାତନା ଦେବା ସହ ଠିକ୍‌ ସମୟରେ ଖାଇବାକୁ ଦେଉ ନଥିଲେ । ସବୁ ଦିନ ଘର ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିଲି । ଦିନେ ଘରେ ମୁଁ ଏକା ଥିବା ବେଳେ ମୋ ଘର ଲୋକଙ୍କୁ ଫୋନ ଯୋଗେ ସବୁ ଜଣାଇଥିଲି । ଏହା ପରେ ମୋ ପରିବାର ଲୋକେ ମସ୍କାଟ୍‌ରେ ଥିବା ଭାରତୀୟ ଦୂତାବାସକୁ ଯାଇ ଏ ବିଷୟରେ ଜଣାଇଥିଲେ ।ଏ ନେଇ ବିଦେଶ ମନ୍ତ୍ରାଳୟକୁ ସୂଚନା ଦିଆଯିବା ପରେ ସେମାନେ ମୋତେ ସେଠାରୁ ଆଣି ମୋ ଘରେ ପହଞ୍ଚାଇଥିଲେ” ବୋଲି ସେ କହିଛନ୍ତି । ଏ ନେଇ ସେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଭାରତୀୟ ଦୂତାବାସକୁ ଧନ୍ୟବାଦ୍‌ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର