ମଧ୍ୟପ୍ରଦେଶ: ଗୋଟାଏ କୁକୁଡ଼ା ହତ୍ୟାକାଣ୍ଡର ତଦନ୍ତ କରୁଛି ମୋରେନା ପୁଲିସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନା ଅନ୍ତର୍ଗତ ଏକ ଗାଁରେ ଘଟିଥିବା ଗୋଟାଏ କୁକୁଡ଼ା ହତ୍ୟାକାଣ୍ଡର ତଦନ୍ତ କରୁଛି ପୁଲିସ। ସେ ଗାଁ’ର ଜଣଙ୍କ କୁକୁଡ଼ା ଅନ୍ୟ ଜଣଙ୍କ ଘରକୁ ପଶିଯିବାରୁ ସେ ଲୋକଟି ତାକୁ ହତ୍ୟା କରିଥିଲା ବୋଲି କୁହାଯାଉଛି।

ସେ ମାଈକୁକୁଡ଼ାଟିର ମାଲିକାଣୀ ଜଣେ ମହିଳା। ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଲୋକଙ୍କ ଘରକୁ ସେ କୁକୁଡ଼ା ଥରକୁ ଥର ପଶିଥିଲା। ଏଥିରେ ଲୋକଟି ଚିଡ଼ି ଯାଇ ଗୋଟାଏ ବାଡ଼ିରେ ସେ କୁକୁଡ଼ାକୁ ପିଟି ପିଟି ମାରି ପକାଇଲା।

ମହିଳାଜଣକ ଯାଇ ଏ ବିଷୟରେ ସେ ବ୍ୟକ୍ତିଙ୍କୁ ପଚାରିବାରୁ ତା’ ପରିବାରର ଲୋକେ ତାଙ୍କୁ ଗାଳିଫଜିତ୍‌ କରିବା ସହ ତାଙ୍କ ଜାତିଗୋତ୍ର ଉଦ୍ଧାର କରିଥିଲେ। ବିବାଦ ଉଗ୍ର ରୂପ ନେଲା। ଏଥର ବିଚରା ମହିଳା ଜଣକ ଥାନାକୁ ଯାଇ ତାଙ୍କର ଏବଂ ତାଙ୍କ ଝିଅମାନଙ୍କର ଜୀବନ ପ୍ରତି ବିପଦ୍‌ ଥିବା ଦର୍ଶାଇ ପୁଲିସର ସହାୟତା ପାଇଁ ଅନୁରୋଧ କଲେ।

ଏ ଘଟଣା ସତ୍ୟ ବୋଲି କହି ସିଭିଲ୍‌ ଲାଇନ୍‌ସ୍‌ ଥାନା ଭାରପ୍ରାପ୍ତ ଅଧିକାରୀ ଅତୁଳ ସିଂହ କହିଲେ: ସୁରକ୍ଷା ଲୋଡ଼ି ସୁନୀତା ବାଲ୍ମିକୀ ନାମ୍ନୀ ମହିଳା ଜଣକ ଥାନାରେ ପହଞ୍ଚିଥିଲେ। ଧାରା ୪୨୯ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଧାରା ଅନୁସାରେ ୫୦ ଟଙ୍କାରୁ ଅଧିକ ମୂଲ୍ୟର କୌଣସି ପ୍ରାଣୀ ମରାଯାଇଥିଲେ ମାମଲା ଚାଲିପାରିବ।

ସମ୍ବନ୍ଧିତ ଖବର