ପୁଲିସ ପାଖରେ ଚାବି ଥାଇ ଘରୁ ଲୁଟ୍‌ ଘଟଣା, ତଦନ୍ତ ଆରମ୍ଭ କଲା ପୁଲିସ

ଭୁବନେଶ୍ୱର: ପୁଲିସ ପାଖରେ ଘର ଚାବି ଥିବା ବେଳେ ଦୁର୍ବୃତ୍ତ ଘର ଭାଙ୍ଗି ସର୍ବସ୍ବ ଲୁଟି ନେବା ଘଟଣାରେ ବାଲିପାଟଣା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ଥାନା ଇନ୍‌ସ୍‌ପେକ୍ଟର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘର ଖୋଲି ଏହି ଭଙ୍ଗାରୁଜା ଦେଖିବା ସହ ଫଟୋ ସଂଗ୍ରହ କରିଛନ୍ତି। କ’ଣ କ୍ଷତି ହୋଇଛି ତାହାର ତାଲିକା କରିବା ସହ ପୁଣି ଥରେ ଚାବି ପକାଇ ଦେଇଛନ୍ତି। ତେବେ ଏତେ ଦିନ ଧରି କାହିଁକି ତଦନ୍ତ କରାଯାଉନଥିଲା? ଖବର ପ୍ରକାଶ ପାଇବା ପରେ କାହିଁକ ତତ୍ପର ହେଲା? ମାମଲାକୁ ଚାପି ଦିଆଯାଉଥିବା ଉଦ୍ୟମ ହୋଇଥିଲା କି? ଏବେ ଉପର ମୁଣ୍ଡରୁ ପଡ଼ିଥିବା ଚାପରେ ବାଲିପାଟଣା ଥାନା ପୁଲିସ ତଦନ୍ତ କରିବାକୁ ବାଧ୍ୟ ହୋଇଛି ନା ଅସହାୟ ପରିବାରକୁ ନ୍ୟାୟ ଦେବା ପାଇଁ ଆନ୍ତରିକତା ରହିଛି? ଏଭଳି ଅନେକ ପ୍ରଶ୍ନ ବାଲିପାଟଣା ଥାନା ପୁଲିସକୁ ବିବାଦକୁ ଟାଣିଛି।

ସୂଚନା ମୁତାବକ, ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ତିନିଭାଇ କୃଷ୍ଣଚନ୍ଦ୍ର ମୁଦୁଲି, ପ୍ରଭାକର ମୁଦୁଲି ଓ କୈଳାସ ମୁଦୁଲିଙ୍କର ଜମିବାଡ଼ିକୁ କେନ୍ଦ୍ର କରି ପଡ଼ୋଶୀ ସୁରେନ୍ଦ୍ର ମୁଦୁଲିଙ୍କ ସହ ଶତ୍ରୁତା ଲାଗି ରହିଥିଲା। ଗତ ଜୁନ୍‌ ୬ ତାରିଖରେ ଉଭୟ ପରିବାର ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଅଭିଯୋଗ ହୋଇଥିଲା। ସୁରେନ୍ଦ୍ରଙ୍କ ଅଭିଯୋଗକୁ ଆଧାର କରି କୃଷ୍ଣ, ପ୍ରଭାକର ଓ କୈଳାସଙ୍କ ପରିବାରରୁ ମହିଳାଙ୍କ ସମେତ ୭ଜଣଙ୍କୁ ବାଲିପାଟଣା ଥାନା ପୁଲିସ କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ପରିବାରରୁ କାହାରିକୁ ବାନ୍ଧିନଥିଲା। ୬ବଖରା ଘରେ ପୁଲିସ ତାଲା ପକାଇ ଚାବି ପାଖରେ ରଖିଥିଲା। ଦେଢ଼ମାସ ପରେ ଜୁଲାଇ ୨୪ତାରିଖରେ ଜାମିନ୍‌ରେ ଫେରିବା ପରେ ଘର ଭାଙ୍ଗି ସର୍ବସ୍ବ ଲୁଟ୍‌ ହୋଇଥିବା ଜଣାପଡ଼ିଥିଲା। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ମାମଲା ରୁଜୁ କରିନଥିଲା। ଲୁଟ୍‌ର ଶିକାର ହୋଇଥିବା ପରିବାର ଏବେ ବନ୍ଧୁ ଘରେ ମୁଣ୍ଡ ଗୁଞ୍ଜିଛନ୍ତି।

ସମ୍ବନ୍ଧିତ ଖବର