ବିମାନ ବନ୍ଦରରେ ପହଞ୍ଚିବା ବିଳମ୍ବ ହେତୁ ବିମାନରେ ବୋମା ଅଛି ବୋଲି ଗୁଜବ ପ୍ରଘଟ କରିଥିବା କୋରିଓଗ୍ରାଫର୍‌ ଗିରଫ

ଜୟପୁର: ଜୟପୁରରୁ ମୁମ୍ବାଇ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ବୋମା ଅଛି ବୋଲି ଜଣେ ଲୋକ କଲ୍‌ ସେଣ୍ଟର୍‌କୁ କଲ୍‌ କରି ମିଥ୍ୟା ପ୍ରଘଟ କରିଥିବା ଅଭିଯୋଗରେ ମଙ୍ଗଳବାର ପୁଲିସ୍‌ ଦ୍ୱାରା ଗିରଫ ହୋଇଛି।

ଜୟପୁରର ବାସିନ୍ଦା ରୋହିତ କୁମାର ଟାଙ୍କ୍‌ଙ୍କ ପକ୍ଷରୁ ଆସିଥିବା କଲ୍‌ଟିକୁ ସକାଳ ୫.୩୦ ସମୟରେ ରିସିଭ୍‌ କରାଯାଇଥିଲା। ସେ ଏପରି ମିଥ୍ୟା ପ୍ରଘଟ କରିଥିବା କଥା ଧରାପଡ଼ିବା ପରେ ପୁଲିସ୍‌ ତାଙ୍କୁ ହେପାଜତରେ ନେଇ ପଚରାଉଚରା ଜାରି ରଖିଛି।

ସକାଳୁ ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ନିକଟରୁ କଲ୍‌ ଆସି ଜୟପୁରରୁ ମୁମ୍ବାଇ ଯାଉଥିବା ବିମାନରେ ବୋମା ଥିବା କଥା ଶୁଣିବା ପରେ ବିମାନ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସେମାନେ ତତ୍‌କ୍ଷଣାତ ‘ବମ୍‌ ଥ୍ରିଏଟ୍‌ ଆସେସ୍‌ମେଣ୍ଟ୍‌ କମିଟି(ବିଟିଏସି)ଙ୍କୁ ସୂଚନା ଦେଇଥିଲେ। ତଦନ୍ତରୁ ଜାଣିବାକୁ ମିଳିଥିଲା ଯେ ବିମାନ ମଧ୍ୟରେ କୌଣସି ବୋମା ନଥିଲା। ବିମାନଟି ସଂପୂର୍ଣ୍ଣ ସୁରକ୍ଷିତ ଭାବେ ୬.୫୫ରେ ମୁମ୍ବାଇରେ ଲ୍ୟାଣ୍ଡ୍‌ କରିଥିଲା।

ସୂଚନାରୁ ଜାଣିବାକୁ ମିଳିଛି ଯେ ବିମାନରେ ବୋମା ଅଛି ବୋଲି ଗୁଜବ ଖେଳାଇଥିବା ବ୍ୟକ୍ତି ଜଣକ ବୃତ୍ତିରେ ଜଣେ କୋରିୟଗ୍ରାଫର୍‌। ସେ ବିମାନ ବନ୍ଦରରେ ଠିକ୍‌ ସମୟରେ ପହଞ୍ଚିବାରେ ସମର୍ଥ ନ ହେବାରୁ ଏପରି କଲ୍‌ କରି ବିମାନ ଅଟକାଇବା ଲକ୍ଷ୍ୟ ସେ ଏମିତି କରିଥିଲେ।

ସମ୍ବନ୍ଧିତ ଖବର