ଗହଣା ଦୋକାନୀଙ୍କ ସହିତ ୩ ଗିରଫ

ଭୁବନେଶ୍ୱର: ଲୁଟ୍‌ ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ ଜଣେ ଲୁଟେରା ଓ ଗହଣା ଦୋକାନୀକୁ ଗିରଫ କରିଛି। ସେହିପରି ଆଉ ଏକ ଲୁଟେରାକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୫ଟି ସୁନାହାର, ମୁଦି, କାନଫୁଲ୍‌ ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ୟୁନିଟ୍‌-୬ ସଡ଼କବସ୍ତିର ରମେଶ ନାୟକ ଓରଫ ସୁଦର୍ଶନ ନାୟକ ଓରଫ ପପୁ(୨୮), ଅଶୋକନଗର ଅଞ୍ଚଳର ଗହଣା ଦୋକାନୀ ମନୋରଞ୍ଜନ ସ୍ୱାଇଁ ଓରଫ ରାଜୁ(୩୮) ଏବଂ ଲକ୍ଷ୍ମୀସାଗର ହାଡ଼କଟାଗଳି ଅଞ୍ଚଳର ଲିଟୁ ବେହେରା(୨୫)। ଗତ ୨୯ ତାରିଖ ଅପରାହ୍‌ଣ ସାଢ଼େ ୪ଟା ସମୟରେ ପପୁ ଓ ରାଜୁ ନୂଆପଲ୍ଲୀ ଅଞ୍ଚଳର ଭାରତୀ ମହାନ୍ତଙ୍କ ବେକରୁ ଚେନ୍‌ ଓ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଥିଲେ। ସେହିପରି ୧୨ ତାରିଖ ସନ୍ଧ୍ୟାରେ ଲକ୍ଷ୍ମୀସାଗର ହାଡ଼କଟାଗଳି ଅଞ୍ଚଳର ଉଷାରାଣୀ ମଲ୍ଲିକ ନାମକ ଜଣେ ମହିଳାଙ୍କ ବେକରୁ ଲିଟୁ ସୁନାହାର ଝାମ୍ପି ନେଇଥିଲା। ଏ ନେଇ ଉଭୟ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର