ରାଜ ରାସ୍ତାରେ ଯୁବତୀଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଅାଁ ଲଗାଇଲେ ନିରାଶ ପ୍ରେମିକ

ହାଇଦ୍ରାବାଦ: ଗୁରୁବାର ସନ୍ଧ୍ୟାରେ ଲାଲାଗୁଡ଼ା ଠାରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କ ଉପରେ ତାଙ୍କ ପ୍ରେମିକ ପେଟ୍ରୋଲ୍‌ ଢାଳି ନଅାଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ପୀଡ଼ିତା ସନ୍ଧ୍ୟାରାଣୀ ଶାନ୍ତିନଗର ଠାରେ ଆଲ୍‌ମିନିୟମ୍‌ କବାଟ ତିଆରି କରୁଥିବା ଏକ କମ୍ପାନିରେ କାମ କରନ୍ତି। ତାଙ୍କ ଶରୀର ୭୦% ପୋଡ଼ି ଯାଇଛି। ଗାନ୍ଧୀ ନଗର ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା କରା ଯାଉଛି।

ଆକ୍ରମଣକାରୀ ପ୍ରେମିକ କାର୍ତ୍ତିକ ସନ୍ଧ୍ୟାଙ୍କୁ ବର୍ଷେରୁ ଅଧିକ ହେବ ଚିହ୍ନିଛନ୍ତି। ସେ ସନ୍ଧ୍ୟାଙ୍କୁ ପ୍ରେମ କରୁଥିବା କଥା ଦାବି କରିଛନ୍ତି। ଲାଲାଗୁଡ଼ା ପୁଲିସ ଅଧିକାରୀ କହନ୍ତି: ପରିବାର ମୂଲ୍ୟବୋଧ ବିରୁଦ୍ଧାଚରଣ କରୁଥିବାରୁ କାର୍ତ୍ତିକଙ୍କ ବିବାହ ପ୍ରସ୍ତାବକୁ ସନ୍ଧ୍ୟା ଅସ୍ୱୀକାର କରି ଆସୁଥିଲେ। ସେ କହୁଥିଲେ ସେମାନେ ଘନିଷ୍ଠ ବନ୍ଧୁ ହୋଇ ରହିବା ଉତ୍ତମ।

ଥରକୁ ଥର ପ୍ରସ୍ତାବ ଅସ୍ୱୀକାର କରୁଥିବା ସନ୍ଧ୍ୟାଙ୍କୁ ଶେଷକୁ ହତ୍ୟା କରିବାକୁ ସ୍ଥିର କରି ଥିଲେ କାର୍ତ୍ତିକ। କାର୍ତ୍ତିକଙ୍କୁ ଏବେ ଅଟକ ରଖାଯାଇଛି।
ଗୁରୁବାର ସନ୍ଧ୍ୟାରେ ସନ୍ଧ୍ୟା ଘରକୁ ଫେରୁଥିବା ବେଳେ କାର୍ତ୍ତିକ ଏକ ମୋଟରସାଇକେଲ୍‌ ଚଳାଇ ତାଙ୍କ ପାଖରେ ପହଞ୍ଚିଥିଲେ। ସାଥିରେ ନେଇଥିବା ପେଟ୍ରୋଲ୍‌ ବୋତଲ ଖୋଲି ରାଜ ରାସ୍ତାରେ ସନ୍ଧ୍ୟାଙ୍କ ଉପରେ ଢାଳିବା ପରେ ନିଅାଁ ଲଗାଇ ଦେଇ ପଳାଇ ଯାଇଥିଲେ।

Image Courtesy of India Today

ଜଣେ ପ୍ରତ୍ୟକ୍ଷଦର୍ଶୀ କହନ୍ତି: ଘଟନାଟି ଏଡ଼େ ଜଲ୍‌ଦି ଘଟିଗଲା ଯେ କ’ଣ ହେଉଛି ବୋଲି ମୁଁ ହଠାତ୍‌ ଜାଣି ପାରିଲି ନାହିଁ। ବୁଝିଲାବେଳକୁ ସେ ନିଅାଁରେ ହୁତୁ ହୁତୁ ହୋଇ ଜଳୁଥିଲେ।

ସ୍ଥନୀୟ ଲୋକେ ବିବେକାନୁସାରେ କାମ କରି ନିଅାଁ ଲିଭାଇ ତାଙ୍କୁ ଗାନ୍ଧୀ ନଗର ହସ୍‌ପିଟାଲ୍‌କୁ ନେଇ ଥିଲେ। ତାଙ୍କର ଅବସ୍ଥା ସଙ୍କଟଜନକ ବୋଲି ଡାକ୍ତରଖାନା ତରଫରୁ କୁହାଯାଇଥିଲା।

ଘରେ ସନ୍ଧ୍ୟାଙ୍କୁ ଅପେକ୍ଷା କରିଥିବା ମାଆ ଏ କଥା ଶୁଣି ଉଚ୍ଛନ୍ନ ହୋଇ ଯାଇ ଥିଲେ। ସେ କହିଥିଲେ: ସନ୍ଧ୍ୟା ମୋର ସାନ ଝିଅ। ଭାରି କାମିକା। ଆମେ କାର୍ତ୍ତିକ ବିଷୟରେ କିଛି ଜାଣି ନ ଥିଲୁ।

ଅଭିଯୋଗ ଆଧାରରେ ଲାଲାଗୁଡ଼ା ପୁଲିସ କାର୍ତ୍ତିକଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ ଖୋଜିବାକୁ ଏକ ଦଳ ଗଠନ କରିଥିଲା। ପରେ ତାଙ୍କୁ ଧରାଯାଇ ହାଜତରେ ରଖା ଯାଇଛି।

ସମ୍ବନ୍ଧିତ ଖବର