ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ରେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ, ଚା’ ଦୋକାନରେ କାମ କରୁଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଟିଓ ମେଟ୍ରୋ ଷ୍ଟେସନ୍‌ ପରିସରରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ୧୦ ମିନିଟ ଅନ୍ତରରେ ଦୁଇଜଣ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଅସଦାଚରଣର ଶିକାର ହୋଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ସାମ୍ବାଦିକା ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ଜବତ କରିଛି।

ମହିଳା ସାମ୍ବାଦିକାଙ୍କ ଅଭିଯୋଗ କ୍ରମେ, ଗୁରୁବାର ଅସଦାଚରଣ ମାମଲାରେ ସାମିଲ ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି ପଟିଅାଲା କୋର୍ଟରେ ହାଜର କରିଛି। କୋର୍ଟ ଅଭିଯୁକ୍ତକୁ ୧୪ଦିନ ପାଇଁ ପୁଲିସ ରିମାଣ୍ଡକୁ ପଠାଇ ଦେଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ନାମ ଅଖିଲେଶ କୁମାର ଓ ଘର ଆଇଟିଓସ୍ଥିତ ସଞ୍ଜୟ କଲୋନିରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଘଟଣା ଘଟିବା ଦିନ ଅଖିଳେଶ କୁମାର ଆଇଟିଓ ମେଟ୍ରୋ ସିଢ଼ିରେ ୧୦ମିନିଟ ଅନ୍ତରରେ ଦୁଇ ମହିଳାଙ୍କ ସହିତ ଅସଦାଚରଣ କରିଥିଲା। ଏହି ଅସଦାଚରଣର ସ୍ୱୀକାର ହୋଇଥିବା ମହିଳା ସାମ୍ବାଦିକା ଯୁବକଙ୍କ ଏହି କାରନାମ୍‌କୁ ବିରୋଧ କରିବା ସହିତ ଚିତ୍କାର କରିଥିଲେ ଫଳରେ ଅଭିଯୁକ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଏହି ମାମଲାରେ ସିଆଇଏଏସଏଫ ଯବାନଙ୍କ ଅବହେଳା ବି ଅଭିଯୋଗ ହୋଇଛି।

ପୀଡିତା ମହିଳାଙ୍କ କହିବାନୁସାରେ, ସେ ଯେତେବେଳେ ଅଭିଯୋଗ କରିବା ପାଇଁ ସିଆଇଏଏସଏଫଙ୍କ ପାଖକୁ ଯାଇଥିଲେ, ତାଙ୍କୁ ସେ ସେଠାରେ ଏକଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲା। ଏଥିସହିତ ମହିଳା ସାମ୍ବାଦିକା ସେଦିନର ଘଟଣା ସମ୍ପର୍କରେ କହନ୍ତି, ମୁଁ ଯେତେବେଳେ ମେଟ୍ରୋ ଷ୍ଟେସନ୍‌ ଦେଇ ଯାଉଥିଲି, ଜଣେ ଯୁବକଙ୍କ ହାତ ମୋ ଶରୀରରେ ବାଜିଥିଲା, ମୁଁ ଭାବିଥିଲି ବୋଧ ହୁଏ ଭୁଲବଶତଃ ତାଙ୍କ ହାତ ମୋ ଦେହରେ ବାଜି ଯାଇଛି କିନ୍ତୁ କିଛି ସମୟରେ ପରେ ସେ ଜୋରଜବଦସ୍ତି ମୋ ଶରୀରକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ମୁଁ ଉକ୍ତ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେ ସେଠାରୁ ଦୌଡ଼ି ପଳାଇଥିଲେ। ଯଦି ଘଟଣାସ୍ଥଳରେ କୌଣସି ସୁରକ୍ଷାକର୍ମୀ ଥାଆନ୍ତେ ତେବେ ନିଶ୍ଚିତ ଭାବେ ଅସଦାଚରଣକାରୀ ଧରା ପଡ଼ି ପାରିଥାଆନ୍ତେ।

ଡିସିପି ପଙ୍କଜ କୁମାର ସିଂହ ଏହି ସମ୍ପର୍କରେ ସୂଚନା ପାଇବା ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୫ଟି ଟିମ୍‌ ଗଠନ କରିଥିଲେ। ପାଖାପାଖି ପୁଲିସ ୫ହଜାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଯାହା ଜରିଆରେ ପୁଲିସ ଅଭିଯୁକ୍ତ ବିକାଶ ସଦନ ନିକଟରେ ଏକ ଚା’ ଦୋକାନରେ କାମ କରେ ବୋଲି ଜାଣିବାକୁ ପାଇଥିଲା। ଘଟଣା ଘଟାଇବା ଦିନ ସେ ମଦ୍ୟପାନ କରିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର