କପଡ଼ାବନ୍ଧା ଡକାୟତ ଗ୍ୟାଙ୍ଗର ୨ ଅଟକ

ଦୁଦୁରାବସ୍ତ ଡକାୟତି ଘଟଣା

ବାଲିଅନ୍ତା: ରାମଚନ୍ଦ୍ରପୁର-କୁରାଙ୍ଗ ମୁଖ୍ୟ ରାସ୍ତାର ଶେଷ ସୀମାନ୍ତ ଦୁଦୁରାବସ୍ତ ସ୍ଥିତ ମହାବୀର ବଜାରରେ ଗତକାଲି ଦିନ ଦ୍ୱିପହରରେ ଘଟିଥିବା ଡକାୟତି ଘଟଣାର ତଦନ୍ତ ଦାୟିତ୍ୱକୁ ନେଇ କମିସନରେଟ ପୁଲିସର ଉଭୟ ବାଲିଅନ୍ତା ଥାନା ଓ କଟକସଦର ଥାନା ମଧ୍ୟରେ ଉପୁଜିଥିବା ସୀମା ବିବାଦର ଅବସାନ ଘଟିଛି। ଅପରାଧ ଘଟିଥିବା ଅଞ୍ଚଳ ନିଜ ଥାନା ଏରଆ ନୁହେଁ କହି ପ୍ରଥମେ ଉଭୟ ଥାନା ପୁଲିସ ପରସ୍ପର ଉପରୁ ଦୋଷ ଖସାଇ ଥିଲେ। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୁଲିସ ଅଧିକାରୀମାନଙ୍କର ଏଭଳି ସୀମା ଚିହ୍ନଟ ବିବାଦ ନେଇ ସାଧାରଣରେ ଘୋର ପ୍ରତିକ୍ରୟା ପ୍ରକାଶ ପାଇଥିଲା। ଡକାୟତି ଘଟିଥିବା ନିର୍ଧାରିତ ଜାଗା କଟକସଦର ଥାନାର ନୁହେଁ ଏହା ବାଲିଅନ୍ତା ଥାନାର ସୀମା ପରିସରଭୁକ୍ତ ବୋଲି ଚିହ୍ନଟ ହେବା ପରେ ଉକ୍ତ ଥାନାରେ କେସ୍‌ ନଂ ୮୦ / ୧୮ରେ ଏକ ମାମଲା ରୁଜୁ ହୋଇଛି। ମାମଲାର ପୃଷ୍ଠଭୂମିକୁ ଆଧାର କରି ବାଲିଅନ୍ତା ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଆଡ଼ାରେ ଚଢ଼ଉ କରି ଦୁଇ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ଅଲଗା ଅଲଗା କରି ପଚରାଉଚରା କରୁଛି। ଅଟକ ଯୁବକଙ୍କ ମଧ୍ୟରେ ଘଟଣାସ୍ଥଳରେ ଅଭିଯୋଗକାରୀ ଅସିତ୍‌ ମହାନ୍ତିଙ୍କ ସହ ଧସ୍ତାଧସ୍ତି ବେଳେ ମୁହଁରୁ କପଡ଼ା ଖସିପଡ଼ି ଚିହ୍ନଟ ହୋଇସାରିଥିବା କଟକସଦର ଥାନା ଅଧୀନ କୁରାଙ୍ଗ ଗ୍ରାମର ଯୁବକ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ସେହିପରି ସନ୍ଦେହରେ ଥାନାରେ ଅଟକ ଅନ୍ୟ ଜଣକ ତାଙ୍କ ଘର ପାଖ ନଚ୍ଛିପୁର ଗ୍ରାମର ବୋଲି ସୂଚନା ମିଳିଛି। ପଚରାଉଚରା ସମୟରେ ବୟାନରୁ ସେଭଳି କୌଣସି ତଥ୍ୟ ହସ୍ତଗତ ହୋଇପାରିନଥିବାରୁ ପୁଲସ ତାଙ୍କୁ ଅଧିକ ଜେରା କରି ଛାଡ଼ିଦେବାର କିଛିଟା ସମ୍ଭାବନା ରହିଛି। ସେହିପରି ଅନ୍ୟ ସମସ୍ତଙ୍କୁ ଧରିବା ପାଇଁ ବାଲିଅନ୍ତା ଥାନା ପୁଲିସ ଟିମ୍‌ ବିଳମ୍ବିତ ରାତିରେ ନଚ୍ଛିପୁର, କୁରାଙ୍ଗ ଓ ଗଙ୍ଗେଶ୍ୱରଗଡ଼ ଓ ଅନ୍ୟ ସ୍ଥାନରେ ଚଢ଼ଉ କରି ଜଣେ ଦୁଇଜଣଙ୍କୁ ଧରିଆଣିି ଥାନା ହାଜତରେ ରଖିଥିବା ଜଣାପଡ଼ିଛି। ଏପଟେ ଆଜି ପୂର୍ବାହ୍ନରେ ଏସିପି ଶୁଭେନ୍ଦୁ ସେହ୍ନା ଘଟଣାସ୍ଥଳକୁ ଯାଇ ସାନି ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ଏସିପି ଶ୍ରୀ ସେହ୍ନାଙ୍କ ସୂଚନାନୁଯାୟୀ ଜଣେ ଚିହ୍ନଟ ଡକାୟତ ଥାନାରେ ଅଟକ ଅଛି ଆଉ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି। ଅଭିଯୁକ୍ତମାନେ ଧରାହେଲେ ଘଟଣାର ଅସଲ ରହସ୍ୟର ନିଶ୍ଚିତ ପର୍ଦ୍ଦାଫାସ ହୋଇଯିବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତକାଲି ମଧ୍ୟାହ୍ନରେ ୬ ଜଣ ମୁଖାପିନ୍ଧା ଯୁବକ ବଜାରରେ ଦୀର୍ଘ ସମୟ ଧରି ଆତଙ୍କରାଜ ଚଳାଇଥିଲେ। ଏବଂ ଦୁଇରାଉଣ୍ଡ ଗୁଳି ଫୁଟାଇ ଗଡ଼ ଭିଙ୍ଗାରପୁର ଗ୍ରାମର ଅସିତ୍‌ଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘଟଣାର ୩୬ ଘଣ୍ଟା ପରେ ପୁଲିସ ଉପରୋକ୍ତ ଦୁଇଜଣଙ୍କୁ ଥାନାରେ ଅଟକ ରଖି ଅନ୍ୟ ସମସ୍ତ ଡକାୟତଙ୍କୁ ଧରିବା ପାଇଁ ଯୋଜନା ଚଳାଇଛି।

ସମ୍ବନ୍ଧିତ ଖବର